Blog
ବହିରେ ହୋଇଥିବା ‘ଗୁରୁ-ଚଣ୍ଡାଳ’ ଭୁଲକୁ ଠିକ କରିବେ ସରକାର !
ରାଜ୍ୟର ସରକାରୀ ବିଦ୍ୟାଳୟରେ ବଣ୍ଟନ କରାଯାଇଥିବା ପାଠ୍ୟପୁସ୍ତକରେ ଦେଖାଦେଇଥିବା ବିଭିନ୍ନ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜାରି ରହିଥିବା ବେଳେ, ଏହାକୁ ସୁଧାରି ଛାତ୍ରଛାତ୍ରୀଙ୍କୁ ନୂଆ ବହି ଯୋଗାଇ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ତିରୁମାଲା ନାୟକ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି ଯେ, ପାଠ୍ୟପୁସ୍ତକରେ ଥିବା ସମସ୍ତ ତ୍ରୁଟିର ସମୀକ୍ଷା କରିବା ପାଇଁ ଶିକ୍ଷାବିତ୍ ଏବଂ ବିଷୟ ବିଶେଷଜ୍ଞଙ୍କୁ ନେଇ ଏକ ପ୍ରକ୍ରିୟା ଚାଲିଛି। ବନାନଗତ ତ୍ରୁଟି, ମୁଦ୍ରଣଜନିତ ଭୁଲ, ବିଷୟବସ୍ତୁର ଅସଙ୍ଗତି ସହିତ ଯେଉଁଠି ଯେଉଁ ପ୍ରକାର ତ୍ରୁଟି ରହିଛି, ସେଗୁଡ଼ିକୁ ପର୍ଯ୍ୟାୟକ୍ରମେ ସୁଧାରାଯିବ। ବିଶେଷକରି ଚର୍ଚ୍ଚାରେ ଥିବା ‘ଗୁରୁ-ଚଣ୍ଡାଳ’ ସମ୍ବନ୍ଧୀୟ ଭୁଲକୁ ମଧ୍ୟ ସଂଶୋଧନ କରାଯିବ ବୋଲି ସେ କହିଛନ୍ତି।
ସେ ସ୍ପଷ୍ଟ କରିଛନ୍ତି ଯେ, ଗଣମାଧ୍ୟମରେ ଯେତେ ପରିମାଣର ତ୍ରୁଟି ଦର୍ଶାଯାଉଛି, ପ୍ରକୃତରେ ସେତେ ଅଧିକ ତ୍ରୁଟି ନାହିଁ। ତଥାପି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କୌଣସି ବାଧା ନଆସିବାକୁ ବିଭାଗ ଗୁରୁତ୍ୱର ସହ ନେଇଛି। ସମସ୍ତ ସଂଶୋଧନ ସମ୍ପୂର୍ଣ୍ଣ ହେବା ପରେ ଅଦ୍ୟତନ ପାଠ୍ୟପୁସ୍ତକକୁ ବିଭାଗର ୱେବସାଇଟ୍ରେ ଅପଲୋଡ୍ କରାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନୂଆ ବହି ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଯିବ।
ଏଠାରେ କହି ରଖୁଛୁ ଯେ, ଚଳିତ ଶିକ୍ଷାବର୍ଷ ପାଇଁ ସରକାର ମାଗଣାରେ ପାଠ୍ୟପୁସ୍ତକ ବଣ୍ଟନ କରିଥିଲେ। କିନ୍ତୁ ବଣ୍ଟନ ପରେ ଅନେକ ବହିରେ ବନାନ ଭୁଲ, ମୁଦ୍ରଣ ତ୍ରୁଟି, ଗୋଟିଏ ବହିର ପାଠ ଅନ୍ୟ ବହିରେ ଛପା ହୋଇଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଥିଲା। କେତେକ ଗଣିତ ବହିରେ ପ୍ରଶ୍ନ, ସୂତ୍ର ଓ ଉଦାହରଣରେ ମଧ୍ୟ ତ୍ରୁଟି ଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଅଭିଯୋଗ କରିଥିଲେ ।
ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ଶିକ୍ଷାବିତ୍ମାନେ ପାଠ୍ୟପୁସ୍ତକ ମୁଦ୍ରଣ ପୂର୍ବରୁ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଏପରି ତ୍ରୁଟି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ପ୍ରଭାବ ପକାଇପାରେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
- Trending




