Blog
ବିଲ୍ରେ ବଡ଼ ଖୁଲାସା । ପଖାଳ ନାଁରେ କୋଟିଏ ଖର୍ଚ୍ଚ ।
ଓଡ଼ିଆଙ୍କ ଝାଳ ବୁହା ଧନକୁ ନିଜ ଆଁରେ ପୁରେଇ ଚାଲିଛନ୍ତି ମୋହନ ସରକାର । ପଖାଳ ଖିଆରେ ଆଖି ବୁଜା ଟଙ୍କା ଖର୍ଚ୍ଚ କରିଛନ୍ତି । ଯାହାକୁ ଅନେକ ଚର୍ଚ୍ଚା ଆଲୋଚନା ହେଉଛି । ମାର୍ଚ୍ଚ ୨୬ ତାରିଖ ଦିନ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପଖାଳ ଦିବସ ଆୟୋଜନ ହୋଇଥିଲା । ଏହି ଦିବସ ଆୟୋଜନ ପାଇଁ ୨ ଦିନ ଧରି ରାଜ୍ୟର ବିଭିନ୍ନ ଷ୍ଟାର ହୋଟେଲରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା କର୍ମୀଙ୍କ ଭିଡ଼ ଲାଗିଥିଲା। ଏହି କ୍ରମରେ ସହରରେ ଥିବା ପ୍ରମୁଖ ହୋଟେଲଗୁଡ଼ିକରୁ ଖାଦ୍ୟଠାରୁ ଆରମ୍ଭ କରି ହୋଟେଲ ମଧ୍ୟ ବୁକ୍ କରାଯାଇଥିଲା। ଏହାସହିତ ଯେଉଁ ଖର୍ଚ୍ଚ ପାଇଁ ଯେତିକି ପରିମାଣର ଅର୍ଥ ବହନ କରାଯାଇଛି, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି..ଆଉ ଏବେ ଏହି ପଖାଳ ପର୍ବ ସରକାରଙ୍କ ପାଇଁ ଶିରପିଢ଼ା ହୋଇଛି ।

ଓଡ଼ିଆ ଲୋକମାନେ ଦୈନନ୍ଦିନ ପଖାଳ ଖାଉଥିବାବେଳେ ଆୟୋଜକ ପର୍ଯ୍ୟଟନ ବିଭାଗ ପଖାଳ ପର୍ବ ପାଳନ ପାଇଁ ଖର୍ଚ୍ଚ କରିଛି ୨ କୋଟି ୩୨ ଲକ୍ଷ ଟଙ୍କା । ପୁଣି ପଖାଳ ପର୍ବରେ ପଖାଳ ପ୍ରସ୍ତୁତି ପାଇଁ ରାଜ୍ୟ ବାହାରୁ ସେଫ୍ ବା ରୋଷେଇୟାମାନଙ୍କୁ ଡକାଯାଇଥିବା ଓ ସେମାନଙ୍କ ବିମାନ ଭଡ଼ା, ହୋଟେଲ ରହଣି ପାଇଁ ପାଞ୍ଚ ଲକ୍ଷ ବ୍ୟୟ କରାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ଆୟୋଜନ ବାବଦକୁ ଓଡ଼ିଶା ଟୁରିଜମ୍ ଡେଭଲପମେଣ୍ଟ କର୍ପୋରେସନ୍ କୁ ୧ କୋଟି ୫୪ ଲକ୍ଷ ୩ ହଜାର ୯୪୦ ଟଙ୍କା ପେମେଣ୍ଟ କରାଯାଇଛି ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି କଲର ପ୍ଲସକୁ ୫୫ଲକ୍ଷ ୮୮ହଜାର ୬୨୭ ଟଙ୍କା ଦିଆଯାଇଛି । ଏପରିକି ପଖାଳ ଦିବସରେ ପାଳନରେ ସୁପରଭିଜନ ଖର୍ଚ୍ଚ ବାବଦରେ ୬.୬ ଲକ୍ଷ ଟଙ୍କା ପେମେଣ୍ଟ କରାଯାଇଛି ।

ପଖାଳ ଦିବସ ଆୟୋଜନର ଏଭଳି ମୋଟା ଖର୍ଚ୍ଚକୁ ନେଇ ସରକାରଙ୍କୁ ଚାରିଆଡ଼ୁ ସମାଲୋଚନା କରାଯାଉଛି । ଏହି ଖର୍ଚ୍ଚ ତାଲିକାରେ ପଖାଳ ପରଷିବା ପାଇଁ ବ୍ୟକ୍ତିମାନଙ୍କ ପାଇଁ ବେକନିକାରୁ ‘ୱେଷ୍ଟ କୋଟ୍’ କିଣାଯାଇଥିବା କଥା ଦର୍ଶାଯାଇଛି । ଏଥିପାଇଁ ୪ ଲକ୍ଷ ୨୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଆଉ କାର୍ଯ୍ୟକ୍ରମର ପ୍ରଚାର ପାଇଁ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସରମାନଙ୍କୁ ୨ ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା କୁହାଯାଉଛି । ହେଲେ ସବୁଠୁ ଗୁରୁତ୍ୱପୂର୍ଣ ଲାଠ ହେଉଛି ୨୦ ତାରିଖରେ ପଖାଳ ଦିବସରେ ରାଜଧାନୀର ବିଭିନ୍ନ ହୋଟେଲରେ ଚିକେନ୍ ବିରିୟାନୀ ଓ ମିନେରାଲ ୱାଟର ପାଇଁ ଲକ୍ଷଲକ୍ଷ ଟଙ୍କାର ବିଲ୍ ହୋଇଛି । ପଖାଳ ଦିବସ ସହ ମିନେରାଲ ୱାଟର ଓ ଚିକେନ୍ ବିରିୟାନୀର ସମ୍ପର୍କ କଣ ? ଏବେ ପ୍ରଶ୍ନ ସରକାରଙ୍କୁ ହରଡ଼ଘଣାରେ ଛନ୍ଦି ଦେଇଛି ।
ଆଉ ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ସରକାର କି ସ୍ପଷ୍ଟୀକରଣ ଦେଉଛନ୍ତି ଏବଂ ଏହି ବ୍ୟୟକୁ କିଭଳି ଯଥାର୍ଥ ବୋଲି ଦର୍ଶାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ।
- Trending




