Blog
କ୍ୱାର୍ଟର୍ସରେ ଝୁଲିପଡ଼ିଲେ IIC । ତଦନ୍ତରେ ଖୋଲିବ ସତ ।
କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC । କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବିୟୁଟି ମହାନ୍ତିଙ୍କ ମୃତଦେହ ମିଳିଛି । ଏହି ଖବର ପରେ ପୋଲିସ ବିଭାଗରେ ଚହଳ ପଡିଛି । ପ୍ରାଥମିକ ସୂଚନା ଅନୁସାରେ ସେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ପୋଲିସ ସହ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାସ୍ଥଳର ଯାଞ୍ଚ କରିଥିଲେ । ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ SCB ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି ।
ଏହି ଘଟଣା ପରେ ବିଭିନ୍ନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। IIC ବିୟୁଟି ମହାନ୍ତି କୌଣସି ମାନସିକ ଚାପରେ ଥିଲେ କି ? କାର୍ଯ୍ୟଭାର ଯୋଗୁଁ କୌଣସି ଚାପ ଥିଲା କି ? ନା ଏହା ପଛରେ ରହିଛି ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ? ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ । ଆଉ ଏବେ ତଦନ୍ତକାରୀ ସଂସ୍ଥା ଘଟଣାର ପ୍ରତ୍ୟେକ ଦିଗକୁ ଖତିଆନ କରୁଛି । ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ, ବ୍ୟକ୍ତିଗତ ସାମଗ୍ରୀ, ମୋବାଇଲ ଫୋନ୍, ଡିଜିଟାଲ ତଥ୍ୟ ଏବଂ ଅନ୍ୟାନ୍ୟ ସୂତ୍ରକୁ ଆଧାର କରି ତଦନ୍ତ ଆଗକୁ ବଢ଼ୁଛି ।

ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇପାରେ । ତେବେ ତଦନ୍ତର ସ୍ୱାର୍ଥ ଦୃଷ୍ଟିରୁ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ବିସ୍ତୃତ ସୂଚନା ଦିଆଯାଇନାହିଁ । ଘଟଣାକୁ ନେଇ ପୋଲିସ ବିଭାଗରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।ସହକର୍ମୀଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏବେ ସମସ୍ତଙ୍କ ନଜର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଉପରେ ରହିଛି ।
- Trending




