ଶେଷ ଯାତ୍ରାରେ ଅପମାନ । ବିକାଶର ନଗ୍ନ ଚିତ୍ର !

କୁହାଯାଏ ଜୀବନର ଶେଷ ଯାତ୍ରା ସମ୍ମାନର ସହ ହେବା ଉଚିତ୍ । କିନ୍ତୁ ଯେତେବେଳେ ମସାଣିକୁ ଯିବା ପାଇଁ ମଧ୍ୟ ରାସ୍ତା ନଥାଏ, ସେତେବେଳେ ସେହି ସମ୍ମାନ କେଉଁଠି ମିଳିବ ? ଏହି ଘଟଣା ହେଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ଗାଁର। ଗାଁର । ପଦ୍ମନ ହରିଜନ ଦୀର୍ଘ ଦିନ ଧରି ରୋଗଶଯ୍ୟାରେ ଥିଲେ । ଆଜି ତାଙ୍କର ମୃତ୍ୟୁ ହେବା ପରେ ପରିବାର ଉପରେ ଭାଙ୍ଗି ପଡ଼ିଥିଲା ଦୁଃଖର ପାହାଡ଼ । କିନ୍ତୁ ସେହି ଦୁଃଖ ଭିତରେ ଆଉ ଏକ ବଡ଼ ସମସ୍ୟା ଛିଡ଼ା ହୋଇ ଠିଆ ହେଲା । ଶବକୁ ମସାଣିକୁ ନେବେ କେମିତି ?

କାରଣ ? ଗାଁର “ଜାନୀ” ଓ “ହରିଜନ” ସମ୍ପ୍ରଦାୟ ପାଇଁ ଥିବା ମସାଣିକୁ ଯିବାକୁ କୌଣସି ପକ୍କା ରାସ୍ତା ନାହିଁ । ଭରସା କେବଳ କାଦୁଅ ଭରା ଧାନ ଜମି ଏବଂ ପିଛଳ ହୁଡା, କୋକେଇ କାନ୍ଧରେ ଧରି ଯାଉଛନ୍ତି ଗ୍ରାମବାସୀ । ହେଲେ ପିଛଳ ରାସ୍ତାରେ ବାରମ୍ବାର ଗୋଡ଼ ଖସୁଛି। କୋକେଇ ବୋହୁଥିବା ଲୋକେ ଭାରସାମ୍ୟ ହରାଉଛନ୍ତି । କେହି ପଡ଼ିଯିବାକୁ ବସୁଛନ୍ତି ! ଆଉ କେହି ଦୌଡ଼ି ଆସି କୋକେଇକୁ ଧରି ସାହାଯ୍ୟ କରୁଛନ୍ତି ।

ଗୋଟିଏ ଶବକୁ ସମ୍ମାନର ସହ ମସାଣିରେ ପହଞ୍ଚାଇବା ପାଇଁ କେତେ ସଂଘର୍ଷ କରିବାକୁ ପଡ଼ୁଛି । ତାହା ଏହି ଦୃଶ୍ୟ ନିଜେ ବୟାନ କରୁଛି । ସବୁଠାରୁ ବଡ଼ କଥା ହେଉଛି । ଏହି ସମସ୍ୟା ଆଜିର ନୁହେଁ ବର୍ଷ ବର୍ଷ ଧରି ମସାଣିକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ନିକଟରେ ଗୁହାରି କରିଆସୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସମାଧାନ ହୋଇନାହିଁ ! ଫଳରେ କେବଳ ଜୀବିତ ଲୋକ ନୁହେଁ, ମୃତ୍ୟୁ ପରେ ମଧ୍ୟ ଗାଁ ଲୋକଙ୍କୁ ସମ୍ମାନର ସହ ବିଦାୟ ଦେବା ସମ୍ଭବ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଏହି ଘଟଣା ଆଉ ଥରେ ବିକାଶର ଦାବି ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି । ଗାଁକୁ ଯଦି ମସାଣି ପର୍ଯ୍ୟନ୍ତ ରାସ୍ତା ନାହିଁ ! ତେବେ ସେହି ଗାଁର ବିକାଶ କେଉଁ ସ୍ତରରେ ପହଞ୍ଚିଛି ? ରାସ୍ତା କେବଳ ଗୋଟିଏ ବିକାଶ ପ୍ରକଳ୍ପ ନୁହେଁ, ଏହା ମଣିଷର ମୌଳିକ ଆବଶ୍ୟକତା । ଜଏବେ ଦେଖିବାର କଥା, ଏହି ଘଟଣା ପରେ ପ୍ରଶାସନ ସଚେତନ ହେଉଛି ନା ପୁଣି ଥରେ ଗ୍ରାମବାସୀଙ୍କ ଦାବି କେବଳ ଦାବିରେ ସୀମିତ ରହିଯାଉଛି ।