ଥମୁନି ବର୍ଷା ! ୨ ଦିନ ବଢ଼ିବ ବିପଦ !

ସକାଳରୁ ସନ୍ଧ୍ୟା କେଉଁଠି ଝିପିଝିପି ତ ଆଉ କେଉଁଠି ମୁଷଳଧାରା ବର୍ଷା, ଲଘୁଚାପ ପ୍ରଭାବରେ ସାରା ଓଡ଼ିଶା ଏବେ ବର୍ଷାରେ ଭିଜୁଛି । ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅବିରତ ବର୍ଷା ଜାରି ରହିଥିବା ବେଳେ ଆଜି ମଧ୍ୟ ପାଗରେ କୌଣସି ସୁଧାର ହେବାର ସମ୍ଭାବନା ନାହିଁ । ବରଂ କିଛି ଜିଲ୍ଲାରେ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ଭୀଷଣ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ କରାଯାଇଛି ।

ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର ଓ କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି । କେବଳ ରେଡ୍ ୱାର୍ଣ୍ଣିଂ ନୁହେଁ, ଅତିପ୍ରବଳ ବର୍ଷା ସମ୍ଭାବନା ନେଇ ଆଉ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ନେଇ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ୍ ରାଜ୍ୟର ପ୍ରାୟ ସବୁ ଅଞ୍ଚଳ ଉପରେ ବର୍ଷାର ପ୍ରଭାବ ରହିବ.. ନଦୀ ନାଳରେ ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ ।

ଆସନ୍ତା ୭ ତାରିଖ ଯାଏ ଏଭଳି ବର୍ଷା ଆଲର୍ଟ ଜାରି ହୋଇଛି । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ ଉପରେ ଥିବା ଲଘୁଚାପ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାଖାପାଖି ଅଞ୍ଚଳ ଉପରେ ରହିଛି । ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପ୍ରଶାସନ ମଧ୍ୟ ସତର୍କ ରହିଛି । ସମ୍ଭାବ୍ୟ ବନ୍ୟା, ଜଳବନ୍ଦୀ ଓ ଅନ୍ୟାନ୍ୟ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି । ସ୍ଥିତି ଉପରେ ଲଗାତାର ନଜର ରଖାଯାଉଥିବା ବେଳେ ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ।