ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ୪୨ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ଏବେ ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତିନିରଥର ମୋଟ ୨୧ ଗୋଟି ଅଖ ମଧ୍ୟରୁ ଚକ ଡେରା ନୀତି ପାଇଁ ତିନି ଗୋଟି ଅନୁକୂଳ ଅଖ ନିର୍ମାଣ ଶେଷ ହୋଇଥିଲା ବାକି ତିନି ରଥର ୧୮ ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଆଜି ତିନିରଥର ୧୨ ଟି ଲେଖାଏଁ ଚଉପଟ ଭୂଇଁ ଚଉତାର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ସାଥୀ ମହାରଣା ସେବକ ମାନେ ଭୂଇଁ ଚଉତା ରେ ୪ ଟି ଲେଖାଏଁ ପାଖୁଡ଼ା ବିନ୍ଧ ସହ ଦୁଇ ପାର୍ଶ୍ୱରେ ଗୋଟିଏ ଗୋଟିଏ ଖମ୍ବୀ ବିନ୍ଧ କାର୍ଯ୍ୟ ଜାରୀ ରଖିଛନ୍ତି।

ରୂପକାର ସେବକ ମାନେ ତିନି ରଥର ସାଲ ଗୁଜ ଏବଂ ତୀଖ ଗୁଜ ରେ ସିଂହ ବିରଳ ରୂପ ଖୋଦେଇ ସହ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି।