Blog
‘ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି ନବୀନ’ ! ଦିଲ୍ଲୀରେ ଭର୍ତ୍ତୃହରିଙ୍କ ବିସ୍ଫୋରକ ମନ୍ତବ୍ୟ
CJP ଆନ୍ଦୋଳନକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମର୍ଥନ ଜଣାଇବା ପରେ ଏହାକୁ ନେଇ ରାଜନୈତିକ ମାହୋଲ ଅଧିକ ସରଗରମ ହୋଇଯାଇଛି। ଗତକାଲି ନୂଆଦିଲ୍ଲୀରେ CJP ଆନ୍ଦୋଳନରେ ସାମିଲ ହୋଇ ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। ଏହାର ପ୍ରତିକ୍ରିୟାରେ ଆଜି ବିଜେପି ପକ୍ଷରୁ କଡ଼ା ଜବାବ ଦିଆଯାଇଛି।
ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ନବୀନ ପଟ୍ଟନାୟକ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। CJPକୁ ତାଙ୍କ ସମର୍ଥନ ନିମ୍ନ ମନୋବୃତ୍ତିର ପରିଚୟ। ତାଙ୍କ ଗତକାଲିର ମନ୍ତବ୍ୟ ନିନ୍ଦନୀୟ ଏବଂ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।”
ଦଳୀୟ ସାଂସଦମାନଙ୍କ ଉପସ୍ଥିତିରେ ଭର୍ତ୍ତୃହରି ମହତାବ କହିଥିଲେ ଯେ, ନବୀନ ପଟ୍ଟନାୟକ ନିଜ ଶାସନକାଳର ପରୀକ୍ଷା ପରିଚାଳନାକୁ ଭୁଲି ଅନ୍ୟଙ୍କୁ ସମାଲୋଚନା କରୁଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ବିଜେଡି ସରକାର ସମୟରେ ଓଡ଼ିଶାରେ ବାରମ୍ବାର ପରୀକ୍ଷା ବିଭ୍ରାଟ ଘଟିଥିଲା ଏବଂ ଏହାକୁ ନେଇ ଓଡ଼ିଶା ହାଇକୋର୍ଟ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ। ତଥାପି ସେତେବେଳେ କୌଣସି ମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇନଥିଲେ।
ଭର୍ତ୍ତୃହରି ଆହୁରି କହିଥିଲେ ଯେ, NEET ପରୀକ୍ଷାକୁ ନେଇ ଆରମ୍ଭରେ କିଛି ତ୍ରୁଟି ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେଇଥିଲେ। ପରୀକ୍ଷା ପୁନର୍ବାର ସୁଚାରୁରୂପେ ଆୟୋଜନ ହୋଇଥିଲା ଏବଂ ଫଳାଫଳ ମଧ୍ୟ ସମୟରେ ପ୍ରକାଶ ପାଇଥିଲା। ତେଣୁ ସରକାରଙ୍କ ଏହି ତ୍ୱରିତ ପଦକ୍ଷେପକୁ ସମାଲୋଚନା ନକରି ପ୍ରଶଂସା କରିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ।
ସେ ଆହୁରି ଦାବି କରିଥିଲେ ଯେ, ୟୁପିଏ ସରକାର ସମୟରେ ମଧ୍ୟ ବିଭିନ୍ନ ଜାତୀୟ ସ୍ତରର ପରୀକ୍ଷାରେ ବିଭ୍ରାଟ ଘଟିଥିଲା, କିନ୍ତୁ ସେତେବେଳେ ଏଭଳି ରାଜନୈତିକ ଆନ୍ଦୋଳନ କିମ୍ବା ଇସ୍ତଫା ଦାବି ହୋଇନଥିଲା। ବର୍ତ୍ତମାନ ବିରୋଧୀ ଦଳମାନେ ଏହି ପ୍ରସଙ୍ଗକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରୁଥିବା ସେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ ଯେ, ଗତକାଲି ନବୀନ ପଟ୍ଟନାୟକ ଦିଲ୍ଲୀରେ CJP ଆନ୍ଦୋଳନରେ ସାମିଲ ହୋଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି । ଏହାପରେ ବିଜେପି ଓ ବିଜେଡି ମଧ୍ୟରେ ଆରୋପ-ପ୍ରତ୍ୟାରୋପର ରାଜନୀତି ତୀବ୍ର ହୋଇଛି।
- Trending




