Blog
୩୬ ଦିନର ଆନ୍ଦୋଳନର ଅନ୍ତ ! ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ CJPର ବଡ଼ ଘୋଷଣା
କକରୋଚ୍ ଜନତା ପାର୍ଟି (CJP) ଆଜି ନିଜର ଆନ୍ଦୋଳନ ପ୍ରତ୍ୟାହାର କରିଛି ଏବଂ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ସମର୍ଥକମାନଙ୍କୁ ଘରକୁ ଫେରିଯିବାକୁ ଆହ୍ୱାନ କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସରକାର ଓ CJPର ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଥିଲା। NEET ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ହିଁ CJPର ମୁଖ୍ୟ ଦାବି ଥିଲା।
CJPର ମୁଖପାତ୍ର ସୌରଭ ଦାସ ଓ ଆଶୁତୋଷ ରାଙ୍କା, କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ କହିଥିଲେ ଯେ, ସରକାର ସେମାନଙ୍କ ଦାବି ଗୁଡ଼ିକ ପୂରଣ କରିବ ବୋଲି ବିଶ୍ୱାସ କରି ସେମାନେ “ସଦ୍ଭାବନାର ସହ” ଆନ୍ଦୋଳନ ପ୍ରତ୍ୟାହାର କରୁଛନ୍ତି।
ଗୋଟିଏ ପ୍ରମୁଖ ଦାବି ପୂରଣ ହୋଇଥିବା ବେଳେ, ସରକାର ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବ, ଭବିଷ୍ୟତରେ କୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ ଏବଂ NEET ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ନିୟମାନୁସାରେ ସର୍ବାଧିକ କ୍ଷତିପୂରଣ ଦିଆଯିବ ବୋଲି ସରକାର ଆଶ୍ୱାସନ ଦେଇଥିବା CJP କହିଛି।
ସୌରଭ ଦାସ କହିଛନ୍ତି, “ସରକାର ଆମର ଦାବି ମାନିଥିବାରୁ ଆମେ ସମସ୍ତ ଆନ୍ଦୋଳନକାରୀଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରୁଛୁ।”
ଆଶୁତୋଷ ରାଙ୍କା କହିଛନ୍ତି, “୩୬ ଦିନର ଆନ୍ଦୋଳନ ପରେ ସରକାର ଆମର ସମସ୍ତ ଦାବି ଗ୍ରହଣ କରିଛି। ତେଣୁ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣାସ୍ଥଳ ଛାଡ଼ିବାକୁ ଅନୁରୋଧ କରୁଛୁ। ଆମର ଦାବିଗୁଡ଼ିକ କୌଣସି ଚରମପନ୍ଥୀ ଦାବି ନଥିଲା, ବରଂ ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାର ସମ୍ପର୍କିତ ଥିଲା।”
ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା ପରେ ଦିଲ୍ଲୀ ପୁଲିସ ଲାଉଡସ୍ପିକର ମାଧ୍ୟମରେ ଜନ୍ତର ମନ୍ତର ଖାଲି କରିବାକୁ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଥିଲା। ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ଆନ୍ଦୋଳନ ଯୋଗୁ ଆଖପାଖର ବଜାରରେ ଭିଡ଼ କମିଯାଇଥିଲା, ଯାତାୟାତରେ ପରିବର୍ତ୍ତନ ଆସିଥିଲା ଏବଂ କିଛି ମେଟ୍ରୋ ଷ୍ଟେସନ ବନ୍ଦ ରହିଥିଲା।
ସୌରଭ ଦାସ କହିଛନ୍ତି, “ଆମେ NEET ପୀଡ଼ିତଙ୍କ ପରିବାର ପାଇଁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲୁ। ସରକାର ନିୟମ ଅନୁଯାୟୀ ସମ୍ମାନଜନକ କ୍ଷତିପୂରଣ ଦେବାକୁ ସମ୍ମତି ଜଣାଇଛି। ଏହାସହ ଆମେ ପାଞ୍ଚ ଦଫା ଶିକ୍ଷା ଓ ପରୀକ୍ଷା ସଂସ୍କାର ସମ୍ପର୍କିତ ଦାବିପତ୍ର ମଧ୍ୟ ସରକାରଙ୍କୁ ଦେଇଛୁ। ଏହା ଉପରେ ପ୍ରାୟ ଚାରି ସପ୍ତାହ ପରେ ପୁଣିଥରେ ସରକାର ସହ ଆଲୋଚନା କରିବୁ।”
ଜୁଲାଇ ୨୦ରେ ଆୟୋଜିତ ‘ଚଲୋ ସଂସଦ’ କାର୍ଯ୍ୟକ୍ରମ ପରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ବିରୋଧରେ ଏକାଧିକ FIR ରୁଜୁ ହୋଇଥିଲା। CJP କହିଛି ଯେ, ସରକାର ସମସ୍ତ FIR ପ୍ରତ୍ୟାହାର କରିବାକୁ ସମ୍ମତି ପ୍ରକାଶ କରିଛି।
ସୌରଭ ଦାସ କହିଛନ୍ତି, “ଆମର ଦ୍ୱିତୀୟ ଦାବି ଥିଲା କେବଳ ଦିଲ୍ଲୀ ନୁହେଁ, ବିଜେପି ଶାସିତ ଓ ବିଜେପି ସମର୍ଥିତ ସମସ୍ତ ରାଜ୍ୟରେ ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ FIR ପ୍ରତ୍ୟାହାର କରାଯାଉ। ସରକାର ଏହି ଦାବିକୁ ମଧ୍ୟ ଗ୍ରହଣ କରିଛି। ଖୁବଶୀଘ୍ର ଏହା ପ୍ରତ୍ୟାହାର ହେବ। ଦିଲ୍ଲୀରେ ରୁଜୁ ହୋଇଥିବା ପ୍ରାୟ ୧୫ରୁ ୨୦ଟି FIRର ନକଲ ତିନିରୁ ଚାରି ଦିନ ମଧ୍ୟରେ ଆମକୁ ଦିଆଯିବ ବୋଲି ସରକାର ଆଶ୍ୱାସନ ଦେଇଛି।”
ସେ ଆହୁରି କହିଛନ୍ତି ଯେ, CJP ନିଜ ଦାବି ସମ୍ପର୍କିତ ଏକ ଲିଖିତ ଖସଡ଼ା ସରକାରଙ୍କୁ ଦେଇଛି। ସରକାର ମଙ୍ଗଳବାର ସୁଦ୍ଧା ଏହାର ଲିଖିତ ଉତ୍ତର ଦେବ ବୋଲି କହିଛି। FIR ପ୍ରତ୍ୟାହାର ଓ ଭବିଷ୍ୟତରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସମ୍ପର୍କରେ ସରକାରଙ୍କ ଲିଖିତ ନିଶ୍ଚିତତା ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ବିଜେପି ପୂର୍ଣ୍ଣ ସମର୍ଥନ କରିଛି। ଦଳର ଅଧ୍ୟକ୍ଷ ନିତିନ ନବୀନ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଭାରତର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହିତ ଜାତୀୟ ଶିକ୍ଷା ନୀତି (NEP 2020)ର ସଫଳ କାର୍ଯ୍ୟକାରିତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।
ନିଜ ଇସ୍ତଫା ପତ୍ରରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, “ଚାରି ଦଶନ୍ଧିରୁ ଅଧିକ ସମୟ ଧରି ମୁଁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ କାମ କରିଆସିଛି। ଏକ ଶକ୍ତିଶାଳୀ, ସମାବେଶୀ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ରର ମୂଳ ଆଧାର ବୋଲି ମୁଁ ସଦା ବିଶ୍ୱାସ କରିଛି।”
ସେ ଆହୁରି କହିଛନ୍ତି, “ଦେଶର ଯୁବପିଢ଼ିର ଆଶା, ଭାବନା ଓ ନ୍ୟାୟସଙ୍ଗତ ଆକାଙ୍କ୍ଷା ପ୍ରତି ମୋର ଗଭୀର ସମ୍ମାନ ରହିଛି। ଯୁବପିଢ଼ିର ସ୍ୱପ୍ନ ସାକାର କରିବା ଆମର ନୈତିକ ଦାୟିତ୍ୱ। ଦେଶସେବାର ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି।”
- Trending




