ବସଭଡ଼ା ନବଢ଼ିଲେ ଗଡ଼ିବନି ଚକ | ମାଲିକ ସଂଘର ଚେତାବନୀ !

ରାଜ୍ୟରେ କଣ ଗଡ଼ିବନି ବସ୍ ?ଥମିଯିବ କି ଚକା ? ଯାତ୍ରୀ ହେବେ କି ହନ୍ତସନ୍ତ ?ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ। କାରଣ ବସ୍ ଭଡ଼ା ବୃଦ୍ଧି ଦାବିରେ ଆନ୍ଦୋଳନାତ୍ମକ ମୁଡ଼ରେ ରହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ତୈଳ ଦର ବୃଦ୍ଧି, ଖୁଚୁରା ଯନ୍ତ୍ରାଂଶ ମୂଲ୍ୟ ବୃଦ୍ଧି, ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ଓ ଅନ୍ୟାନ୍ୟ ଆର୍ଥିକ ଚାପ ଦର୍ଶାଇ ଭଡ଼ା ବଢ଼ାଇବାକୁ ଦାବି କରିଛି ସଂଘ।

ଏହି ପ୍ରସଙ୍ଗକୁ ନେଇ ଆଜି ପୁଣିଥରେ ବସିଥିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଜରୁରୀକାଳୀନ ବୈଠକ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଘର କର୍ମକର୍ତ୍ତାମାନେ ଏହି ବୈଠକରେ ଯୋଗ ଦେଇଥିଲେ।ଗତ ସୋମବାର ସରକାରଙ୍କୁ ଦାବିପତ୍ର ଦିଆଯାଇଥିଲା। ହେଲେ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛି ସଂଘ।ଏହାପରେ ଏବେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି।

ବୈଠକ ପରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ସ୍ପଷ୍ଟ କରିଦେଇଛନ୍ତି ଯେ, ସରକାରଙ୍କୁ ଶେଷ ଥର ପାଇଁ ୧୦ ଦିନ ସମୟ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ ସରକାର ଭଡ଼ା ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ନନିଅନ୍ତି, ତେବେ ସଂଘ ଧର୍ମଘଟକୁ ଓହ୍ଲାଇବ। ଏପରିକି ରାଜ୍ୟରେ କୌଣସି ଘରୋଇ ବସ୍ ଚଳାଚଳ କରିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ସଂଘର କହିବା କଥା, ବର୍ତ୍ତମାନର ଭଡ଼ା ଢାଞ୍ଚାରେ ବସ୍ ଚଳାଇବା ଦିନକୁ ଦିନ କଷ୍ଟସାଧ୍ୟ ହୋଇପଡ଼ୁଛି।

କେବଳ ତୈଳ ଦର ନୁହେଁ…ବସ୍ ଚଳାଚଳ ସହ ଜଡିତ ପ୍ରାୟ ସମସ୍ତ ଖର୍ଚ୍ଚ ବଢ଼ିଛି। ଟାୟାରର ଦର ବଢ଼ିଛି…ଖୁଚୁରା ଯନ୍ତ୍ରାଂଶର ଦର ବଢ଼ିଛି…ଗାଡ଼ି ମରାମତି ଖର୍ଚ୍ଚ ବଢ଼ିଛି…କର୍ମଚାରୀଙ୍କ ବେତନ ବଢ଼ିଛି…ହେଲେ ବସ୍ ଭଡ଼ାରେ ସେହି ଅନୁପାତରେ ପରିବର୍ତ୍ତନ ହୋଇନଥିବାରୁ ମାଲିକମାନେ ଆର୍ଥିକ ଭାବେ କ୍ଷତି ସହୁଥିବା ଦାବି କରିଛନ୍ତି।ଅନ୍ୟପଟେ ଏହି ଘୋଷଣା ପରେ ଚିନ୍ତାରେ ପଡ଼ିଛନ୍ତି ସାଧାରଣ ଯାତ୍ରୀ।ପ୍ରତିଦିନ ଚାକିରି, ବ୍ୟବସାୟ, ପାଠପଢ଼ା, ଚିକିତ୍ସା ଓ ଅନ୍ୟାନ୍ୟ କାମ ପାଇଁ ଲକ୍ଷାଧିକ ଲୋକ ବସ୍ ଉପରେ ନିର୍ଭର କରନ୍ତି

ଯଦି ବସ୍ ଧର୍ମଘଟ ହୁଏ…ତେବେ ସବୁଠାରୁ ଅଧିକ ପ୍ରଭାବିତ ହେବେ ଦୈନିକ ଯାତ୍ରୀ।ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ଯାତାୟାତ କରୁଥିବା ଲୋକଙ୍କ ସାମ୍ନାରେ ବଡ଼ ସମସ୍ୟା ଛିଡ଼ା ହେବ।ବିଶେଷ କରି ଛାତ୍ରଛାତ୍ରୀ, କର୍ମଚାରୀ, ବ୍ୟବସାୟୀ ଓ ରୋଗୀମାନେ ଅଧିକ ହଇରାଣ ହୋଇପାରନ୍ତି। ଏବେ ସମସ୍ତଙ୍କ ନଜର ରାଜ୍ୟ ସରକାରଙ୍କ ଉପରେ। ବସ୍ ମାଲିକ ସଂଘର ଦାବିକୁ ସରକାର କିଭଳି ନେଉଛନ୍ତି ?