ସାଂସଦଙ୍କୁ ରାସ୍ତାରେ ମାଡ଼ | ଜୀବନ ବଞ୍ଚାଇବାକୁ ହେଲମେଟ୍ ପିନ୍ଧି ଦୌଡ଼ିଲେ |

ପଶ୍ଚିମବଙ୍ଗ ରାଜନୀତିର ଚର୍ଚ୍ଚିତ ଚେହେରା…ଟିଏମସିର ସେକେଣ୍ଡ-ଇନ୍-କମାଣ୍ଡ…ଆଉ ମମତା ବାନାର୍ଜୀଙ୍କ ସବୁଠୁ ବିଶ୍ୱସ୍ତ ସହଯୋଗୀ…ଅଭିଷେକ ବାନାର୍ଜୀ ଆଜି ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।ସୋନାରପୁର ଅଞ୍ଚଳରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ପ୍ରଭାବିତ ପରିବାରଙ୍କୁ ଭେଟିବାକୁ ଯାଉଥିବା ବେଳେ କିଛି ଲୋକ ତାଙ୍କ ରାସ୍ତା ଅବରୋଧ କରିଥିଲେ ବୋଲି ଅଭିଯୋଗ ହୋଇଛି।ଧୀରେ ଧୀରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଭିଡ଼ ବଢ଼ିବା ସହ ନାରାବାଜି ମଧ୍ୟ ଜୋରଦାର ହୋଇଥିଲା। ଉପସ୍ଥିତ ଲୋକମାନେ “ଚୋର-ଚୋର” ନାରା ଦେଇଥିଲେ ବୋଲି ସୂଚନା ମିଳିଛି।

ଏହା ପରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। କିଛି ଲୋକ ଅଭିଷେକଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିବା ମଧ୍ୟ ଅଭିଯୋଗ ହୋଇଛି।ଘଟଣା ଏତେ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା ଯେ ସୁରକ୍ଷାକର୍ମୀମାନଙ୍କୁ ତୁରନ୍ତ ଆକ୍ସନ ମୋଡକୁ ଆସିବାକୁ ପଡ଼ିଥିଲା।ଅଭିଷେକ ବାନାର୍ଜୀଙ୍କୁ ଘେରି ସୁରକ୍ଷା ବଳୟ ସୃଷ୍ଟି କରାଯାଇଥିଲା। ଭିଡ଼ ଭିତରୁ ତାଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ହେଲମେଟ୍ ମଧ୍ୟ ପିନ୍ଧାଇ ଦିଆଯାଇଥିଲା।ଧସ୍ତାଧସ୍ତି ସମୟରେ ତାଙ୍କ ସାର୍ଟ ଫାଟିଯାଇଥିବାର ମଧ୍ୟ ଖବର ମିଳିଛି।

ଏହି ଘଟଣାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପଶ୍ଚିମବଙ୍ଗ ରାଜନୀତିରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…ଏହି ଘଟଣାର କିଛି ସମୟ ପୂର୍ବରୁ ହିଁ ଅଭିଷେକ ବାନାର୍ଜୀଙ୍କ ବାସଭବନରେ ସିଆଇଡି ଟିମ୍ ପହଞ୍ଚିଥିଲା। ସେହି ସମୟରେ ଅଭିଷେକ ଏକ ଆକ୍ରମଣାତ୍ମକ ବୟାନ ଦେଇଥିଲେ। ସେ କହିଥିଲେ…”ମୁଁ କୌଣସି ପରିସ୍ଥିତିରେ ନଇଁବି ନାହିଁ। ମୋର ଗଳା କାଟିଦେଲେ ମଧ୍ୟ ମୁଁ ନଇଁବି ନାହିଁ।” ଏହି ବୟାନର କିଛି ସମୟ ପରେ ହିଁ ତାଙ୍କ ଉପରେ କଥିତ ଆକ୍ରମଣ ଘଟିଥିବାରୁ ଘଟଣା ଅଧିକ ରହସ୍ୟମୟ ହୋଇଯାଇଛି।

ଆକ୍ରମଣ ପରେ ଅଭିଷେକ ବାନାର୍ଜୀ ସିଧାସଳଖ ବିଜେପି ଉପରେ ନିଶାନା ସାଧିଛନ୍ତି।ତାଙ୍କ କହିବା ଅନୁସାରେ, ଏହି ସମ୍ପୂର୍ଣ୍ଣ ଘଟଣା ଭାଜପା ପ୍ରାୟୋଜିତ। ସେ କହିଛନ୍ତି…ଏହା ହେଉଛି ବିଜେପିର ଗଣତନ୍ତ୍ରର ନମୁନା।”ଏହା ସହ ସେ ପ୍ରଶ୍ନ ଉଠାଇଛନ୍ତି ଯେ ଏତେ ବଡ଼ ଘଟଣା ସମୟରେ ପ୍ରଶାସନର କୌଣସି ବରିଷ୍ଠ ଅଧିକାରୀ କାହିଁକି ଉପସ୍ଥିତ ନଥିଲେ? ଅଭିଷେକ ଆହୁରି କହିଛନ୍ତି ଯେ ଯେପର୍ଯ୍ୟନ୍ତ ଲୋକମାନଙ୍କୁ ନ୍ୟାୟ ନମିଳିଛି ଏବଂ ପରିସ୍ଥିତିର ସୁଧାର ହୋଇନାହିଁ, ସେପର୍ଯ୍ୟନ୍ତ ସେ ପଛକୁ ହଟିବେ ନାହିଁ।

ତେବେ ଏହି ଘଟଣା ପରେ ଅନେକ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଘୂରି ବୁଲୁଛି | ଅଭିଷେକ ବାନାର୍ଜୀଙ୍କ ଉପରେ କଥିତ ଆକ୍ରମଣ ପରେ ପଶ୍ଚିମବଙ୍ଗର ରାଜନୀତି ପୁଣି ଥରେ ଉତ୍ତପ୍ତ ହୋଇଯାଇଛି। ଟିଏମସି ଏହା ପଛରେ ବିଜେପିର ହାତ ଥିବା ଅଭିଯୋଗ କରୁଥିବା ବେଳେ ବିରୋଧୀ ଦଳର ପ୍ରତିକ୍ରିୟାକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି। ଏହି ଘଟଣାର ରାଜନୈତିକ ପ୍ରଭାବ କଣ ହେବ ଏବଂ ଆଗକୁ କେଉଁ ନୂଆ ମୋଡ଼ ନେବ ପଶ୍ଚିମବଙ୍ଗ ରାଜନୀତି, ତାହା ଉପରେ ସମଗ୍ର ଦେଶର ନଜର ରହିଛି।