Blog
ନବୀନ ନା ମୋହନ ? କାହାର ଦବଦବା ?
ଓଡ଼ିଶା ରାଜନୀତିରେ ପଞ୍ଚାୟତ ନିର୍ବାଚନର ଗୁରୁତ୍ୱ କେତେ ? ତାହା ସମସ୍ତଙ୍କୁ ଜଣା | କାରଣ ଗାଁରୁ ଆରମ୍ଭ ହୁଏ ରାଜନୈତିକ ଶକ୍ତିର ମୂଳଦୁଆ | କାହାକୁ ଲୋକେ ବେଶି ପସନ୍ଦ କରୁଛନ୍ତି | କେଉଁ ଦଳର କର୍ମୀ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ? କାହାର ସଂଗଠନ ଅଧିକ ଶକ୍ତିଶାଳୀ ? ସେସବୁର ଅସଲ ଚିତ୍ର ଦେଖିବାକୁ ମିଳେ ପଞ୍ଚାୟତ ନିର୍ବାଚନରେ | ତେଣୁ ୨୦୨୭ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ରାଜନୈତିକ ଅଙ୍କକଷା | କେଉଁ ଦଳ କେଉଁ ଅଞ୍ଚଳରେ ଶକ୍ତିଶାଳୀ ? କେଉଁଠି ଦୁର୍ବଳ ? କେଉଁଠି ନୂଆ ରଣନୀତି ହେବ ? ତାହାକୁ ନେଇ ଚାଲିଛି ଭିତିରି ପ୍ରସ୍ତୁତି |

ଯଦି ୨୦୨୨ ପଞ୍ଚାୟତ ନିର୍ବାଚନର ଫଳାଫଳ ଉପରେ ନଜର ପକାଇବା | ତାହେଲେ ସେତେବେଳେ ଚିତ୍ର ଥିଲା ସମ୍ପୂର୍ଣ୍ଣ ଅଲଗା | ସେତେବେଳେ ଥିଲା ବିଜୁ ଜନତା ଦଳର ଏକତରଫା ଦବଦବା | ୮୫୨ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ଜିତିଥିଲା ରେକର୍ଡ ୭୬୬ଟି ଆସନ | ଯାହା ଥିଲା ଏକ ବଡ଼ ରାଜନୈତିକ ସନ୍ଦେଶ | ସେହି ସମୟରେ ବିଜେପି ମାତ୍ର ୪୨ଟି ଆସନ ଜିତିଥିଲା | କଂଗ୍ରେସ ହାତକୁ ଯାଇଥିଲା ୩୭ଟି ଆସନ ..ଅନ୍ୟପଟେ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ୭ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ |

ସବୁଠୁ ବଡ଼ କଥା ବିଜେଡି ଓ ବିଜେପି ମଧ୍ୟରେ ବ୍ୟବଧାନ ଥିଲା ୭୨୪ ଆସନର | ଯାହା ସେତେବେଳେ ବିଜେଡିର ସଂଗଠନ ଶକ୍ତି ଏବଂ ତୃଣମୂଳ ସ୍ତରରେ ତାର ପ୍ରଭାବକୁ ସ୍ପଷ୍ଟ କରିଥିଲା କିନ୍ତୁ ରାଜନୀତିରେ ସମୟ ସହ ବଦଳିଯାଏ ସମୀକରଣ | ଆଉ ୨୦୨୪ ସାଧାରଣ ନିର୍ବାଚନ ପରେ ଓଡ଼ିଶା ରାଜନୀତିର ଚିତ୍ର ବଦଳିଯାଇଛି | ଦୀର୍ଘ ବର୍ଷର ଶାସନ ପରେ ବିଜେଡି କ୍ଷମତାରୁ ବାହାରିଛି ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି |

କେବଳ ସାଧାରଣ ନିର୍ବାଚନ ନୁହେଁ ପରବର୍ତ୍ତୀ ରାଜନୈତିକ ଘଟଣାକ୍ରମରେ ମଧ୍ୟ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛି | ଏବେ ପ୍ରଶ୍ନ ହେଉଛି ୨୦୨୨ ଭଳି ପୁଣି ଥରେ ତୃଣମୂଳ ସ୍ତରରେ ଦବଦବା ଦେଖାଇପାରିବ କି ବିଜେଡି ? ନା ୨୦୨୪ର ଧାରାକୁ ଜାରି ରଖି ବଡ଼ ସଫଳତା ହାସଲ କରିବ ବିଜେପି ? ତେଣୁ ୨୦୨୭ ପଞ୍ଚାୟତ ନିର୍ବାଚନ କେବଳ ଏକ ନିର୍ବାଚନ ନୁହେଁ ଏହା ହେବ ଆଗାମୀ ରାଜନୀତିର ଦିଗ ନିର୍ଦ୍ଦେଶ କରୁଥିବା ବଡ଼ ଲଢେଇ |
- Trending




