Blog
ଶିମିଳିପାଳରେ ମହାବଳଙ୍କ ଗର୍ଜନ ! ବଢ଼ିଲା ବାଘ ସଂଖ୍ୟା
ଓଡ଼ିଶାର ଗୌରବ ଶିମିଳିପାଳ ଜାତୀୟ ଉଦ୍ୟାନରେ ମହାବଳ (ବାଘ) ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଦ୍ୟ ସମ୍ପନ୍ନ କ୍ୟାମେରା ଟ୍ରାପ୍ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଶିମିଳିପାଳରେ ମୋଟ ୩୫ଟି ବାଘ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୭ଟି ପୁରୁଷ ଏବଂ ୧୮ଟି ମାଈ ବାଘ ରହିଛନ୍ତି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଏହି ବାଘମାନଙ୍କ ମଧ୍ୟରୁ ୧୯ଟି ମେଲେନାଷ୍ଟିକ୍ ବା କଳା ବାଘ, ଯାହା ଶିମିଳିପାଳକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ପିସିସିଏଫ୍ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା କହିଛନ୍ତି ଯେ, ଶିମିଳିପାଳରେ ବାଘ ବଂଶ ଲୋପ ପାଇଯିବାର ଆଶଙ୍କା ବର୍ତ୍ତମାନ ପ୍ରାୟ ଦୂର ହୋଇଛି। ରାଜ୍ୟ ସରକାରଙ୍କ ସଂରକ୍ଷଣ ପଦକ୍ଷେପ, କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ବୈଜ୍ଞାନିକ ପରିଚାଳନା ଫଳରେ ବାଘ ସଂଖ୍ୟାରେ ଲଗାତାର ବୃଦ୍ଧି ଦେଖାଯାଉଛି।
ସେ କହିଛନ୍ତି, ୨୦୨୨ ମସିହାରେ ଶିମିଳିପାଳରେ ମାତ୍ର ୧୬ଟି ବାଘ ଥିଲେ। ୨୦୨୪ରେ ଏହି ସଂଖ୍ୟା ୨୭ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ତାହା ୩୫କୁ ବୃଦ୍ଧି ପାଇଛି। ଏହା ଶିମିଳିପାଳରେ ବାଘ ସଂରକ୍ଷଣ କାର୍ଯ୍ୟକ୍ରମର ସଫଳତାର ଏକ ସ୍ପଷ୍ଟ ପ୍ରମାଣ ବୋଲି ସେ କହିଛନ୍ତି।
ବାଘ ଗଣନା ପାଇଁ ଗତ ଛଅ ମାସ ଧରି ଶିମିଳିପାଳର ଉତ୍ତର ଓ ଦକ୍ଷିଣ ଅଞ୍ଚଳରେ ପ୍ରାୟ ଏକ ହଜାର କ୍ୟାମେରା ଟ୍ରାପ୍ ଲଗାଯାଇଥିଲା। ଏହି କ୍ୟାମେରା ଗୁଡ଼ିକ ମାଧ୍ୟମରେ ବାଘଙ୍କ ଚଳପ୍ରଚଳ, ବାସସ୍ଥାନ ଓ ପ୍ରଜନନ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା।
ଏହାସହ ମହାରାଷ୍ଟ୍ରରୁ ଶିମିଳିପାଳକୁ ଅଣାଯାଇଥିବା ବାଘୁଣୀ ‘ଜିନ୍ନତ’ ଚାରିଟି ଶାବକକୁ ଜନ୍ମ ଦେଇଛି। ଏହାକୁ ମିଶାଇ ବର୍ତ୍ତମାନ ଶିମିଳିପାଳରେ ମୋଟ ଶାବକ ସଂଖ୍ୟା ୧୬ରେ ପହଞ୍ଚିଛି, ଯାହା ଆଗାମୀ ଦିନରେ ବାଘ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସଙ୍କେତ ଦେଉଛି।
ବରିଷ୍ଠ ବନ୍ୟପ୍ରାଣୀ ବୈଜ୍ଞାନିକ ଡ. ବିଭାସ ପାଣ୍ଡବ କହିଛନ୍ତି ଯେ, ବର୍ତ୍ତମାନ ଚିହ୍ନଟ ହୋଇଥିବା ୩୫ଟି ବାଘ ସଂଖ୍ୟା ଚୂଡ଼ାନ୍ତ ନୁହେଁ। କ୍ୟାମେରା ଟ୍ରାପ୍ରେ ସଂଗୃହୀତ ଫଟୋ ଓ ଭିଡିଓର ବିସ୍ତୃତ ବିଶ୍ଲେଷଣ ପରେ ବାଘ ସଂଖ୍ୟା ୩୫ରୁ ଅଧିକ ହୋଇପାରେ। ଆସନ୍ତା ବର୍ଷ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ବାଘ ଗଣନା ରିପୋର୍ଟରେ ପ୍ରକୃତ ସଂଖ୍ୟା ସ୍ପଷ୍ଟ ହେବ।
ଶିମିଳିପାଳରେ ବାଘ ସଂଖ୍ୟାର ଏହି ବୃଦ୍ଧି କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ଦେଶର ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ସଫଳତା ବୋଲି ବନ୍ୟଜୀବ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
- Trending




