Blog
TMCକୁ ଲାଗିଲା କାହା ନଜର ? ଏବେ କାହା ପାଳି ?
ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସର ନେତାମାନଙ୍କ ଉପରକୁ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଦଳର ବରିଷ୍ଠ ନେତା ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲା ଏପର୍ଯ୍ୟନ୍ତ ଶାନ୍ତ ପଡ଼ିନଥିବା ବେଳେ, ଏବେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ହିଂସାର ଶିକାର ହୋଇଛନ୍ତି।
ହୁଗୁଳି ଜିଲ୍ଲାରେ ଗୁରୁବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯେତେବେଳେ କଲ୍ୟାଣ ବାନାର୍ଜୀ ନିଜ ଦଳୀୟ କର୍ମୀଙ୍କ ମୁକ୍ତି ଦାବି କରି ପ୍ରଶାସନକୁ ସ୍ମାରକପତ୍ର ଦେବାକୁ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଉତ୍ୟକ୍ତ ଲୋକଙ୍କ ଭିଡ଼ ତାଙ୍କୁ ଚାରିଆଡ଼ୁ ଘେରି ଯାଇଥିଲା।
ଦେଖୁଦେଖୁ ସେଠାରେ ବିବାଦ ବଢ଼ିଯାଇଥିଲା ଏବଂ ଠେଲାପେଟା ମଧ୍ୟରେ ସାଂସଦଙ୍କ ସହ ମାଡ଼ପିଟ୍ କରାଯାଇଥିଲା। ଏହି ହିଂସାକାଣ୍ଡ ସମୟରେ ଏକ ପଥର ସିଧାସଳଖ ଆସି ତାଙ୍କ ମୁଣ୍ଡରେ ବାଜିଥିଲା, ଯାହା ଫଳରେ ସେ ଗମ୍ଭୀର ଭାବେ ଆହତ ହୋଇଛନ୍ତି ଏବଂ ତାଙ୍କ ମୁଣ୍ଡରୁ ରକ୍ତ ବାହାରିବାକୁ ଲାଗିଥିଲା।
ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଘଟଣାସ୍ଥଳରେ ମୁତୟନ ଥିବା ସୁରକ୍ଷା ବଳ ଏବଂ ସେନା ଯବାନମାନେ ତୁରନ୍ତ ହସ୍ତକ୍ଷେପ କରିଥିଲେ। ଯବାନମାନେ ବହୁ କଷ୍ଟରେ ସାଂସଦଙ୍କୁ ଉତ୍ୟକ୍ତ ଭିଡ଼ ଭିତରୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଆକ୍ରମଣରେ ଆହତ ହୋଇଥିବା କଲ୍ୟାଣ ବାନାର୍ଜୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।
- Trending




