Blog
ପ୍ରଭାତ ବିଜେପିରେ ଯୋଗଦେବା ପରେ ବିଜେଡିରେ ଝଡ଼ ! ନବୀନ-ପ୍ରଭାତ ବାକ୍ଯୁଦ୍ଧ ଚରମରେ
ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବା ପରେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିଶେଷ କରି କଟକ-ଚୌଦ୍ୱାର ଭଳି ବିଜେଡିର ଦୃଢ଼ ସଂଗଠନ ଥିବା ଅଞ୍ଚଳରେ ଦଳର ପ୍ରଭାବ କମିଯିବ କି ନାହିଁ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ଏହି ଘଟଣା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ, ପ୍ରଭାତ ବିଶ୍ୱାଳ ଓ ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କ ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହୋଇଯାଇଛି।
ନବୀନ ପଟ୍ଟନାୟକ ପ୍ରଭାତ ବିଶ୍ୱାଳଙ୍କୁ କଡ଼ା ଭାଷାରେ ସମାଲୋଚନା କରି କହିଛନ୍ତି ଯେ, ଚିଟ୍ଫଣ୍ଡ ଠକେଇ ମାମଲାରେ ପ୍ରଭାତ ବିଶ୍ୱାଳ ଜେଲ୍ ଯାଇଥିବା ସତ୍ତ୍ୱେ ଦଳ ତାଙ୍କ ପ୍ରତି ଆସ୍ଥା ରଖିଥିଲା। ଏପରିକି ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ ବିଧାନସଭା ନିର୍ବାଚନରେ ଟିକେଟ ମଧ୍ୟ ଦିଆଯାଇଥିଲା। କିନ୍ତୁ ଏତେ ସୁଯୋଗ ଦେବା ପରେ ମଧ୍ୟ ପ୍ରଭାତ ଓ ସୌଭିକ ଦଳ ସହ ବିଶ୍ୱାସଘାତକତା କରିଥିବା ନବୀନ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ନବୀନଙ୍କ ଏହି ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ପରୋକ୍ଷରେ ନବୀନ ପଟ୍ଟନାୟକଙ୍କୁ ‘ଧୃତରାଷ୍ଟ୍ର’ ସହ ତୁଳନା କରି କହିଛନ୍ତି ଯେ, ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ବାରମ୍ବାର ବୁଝାଇଥିଲେ ମଧ୍ୟ ଧୃତରାଷ୍ଟ୍ର ସତ୍ୟକୁ ଗ୍ରହଣ କରିନଥିଲେ। ସେହିଭଳି ବିଜେଡି ମଧ୍ୟ ଭୁଲ ନିଷ୍ପତ୍ତି ଓ ଭୁଲ ପରାମର୍ଶ କାରଣରୁ କୁରୁବଂଶ ପରି ଧ୍ୱଂସ ହୋଇଯିବ ବୋଲି ପ୍ରଭାତ ମନ୍ତବ୍ୟ ଦେଇଛନ୍ତି।
ପ୍ରଭାତଙ୍କ ପୁଅ ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବିଜେଡି ନେତୃତ୍ୱକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଭବିଷ୍ୟତ କହିବ କିଏ ବିଶ୍ୱାସଘାତକ ଓ କିଏ ଗଦ୍ଦାର।” ସେ ଆହୁରି କହିଛନ୍ତି, “ବାଦଲ କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ଢାଙ୍କି ଦେଇପାରେ, କିନ୍ତୁ ସୂର୍ଯ୍ୟଙ୍କୁ ସବୁଦିନ ପାଇଁ ଲୁଚାଇ ରଖିପାରିବ ନାହିଁ। ସମୟ ହିଁ ସବୁଠାରୁ ବଡ଼ ଶକ୍ତିଶାଳୀ।”
ସୌଭିକ କହିଛନ୍ତି, ଯଦି ତାଙ୍କ ବାପା ପ୍ରଭାତ ବିଶ୍ୱାଳ ପଦବୀରୁ ଇସ୍ତଫା ଦେଇ ଅନ୍ୟ ଦଳକୁ ଯାଇଥାନ୍ତେ, ତେବେ ତାଙ୍କୁ ବିଶ୍ୱାସଘାତକ କୁହାଯାଇପାରିଥାନ୍ତା। କିନ୍ତୁ ଦଳ ପକ୍ଷରୁ ବିନା କାରଣରେ ତାଙ୍କୁ ବହିଷ୍କାର କରାଯାଇଥିଲା ଏବଂ ପ୍ରତ୍ୟେକ ସ୍ତରରେ ଅପମାନିତ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ପ୍ରଭାତ ବିଶ୍ୱାଳ ବିଜେଡି ପାଇଁ ନିଜର ରକ୍ତ, ପରିଶ୍ରମ ଓ ସମୟ ଦେଇଛନ୍ତି। ଦଳ ପାଇଁ ଲଢ଼ିବା ବେଳେ ବ୍ୟକ୍ତିଗତ ସମ୍ପତ୍ତି ଓ ଶିଳ୍ପ ମଧ୍ୟ ହରାଇଛନ୍ତି। ଏଭଳି ଜଣେ ନେତାଙ୍କୁ ବିଶ୍ୱାସଘାତକ କହିବା ଅନ୍ୟାୟ ବୋଲି ସେ କହିଛନ୍ତି।
ନବୀନ ପଟ୍ଟନାୟକଙ୍କୁ ପ୍ରଭାତ ବିଶ୍ୱାଳ ‘ଧୃତରାଷ୍ଟ୍ର’ ବୋଲି କହିବା ପ୍ରସଙ୍ଗରେ ସୌଭିକ କହିଛନ୍ତି ଯେ, ତାଙ୍କ ବାପାଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଯଥାର୍ଥ। ପୁଅ ଭାବେ ସେ ସବୁବେଳେ ବାପାଙ୍କ ନିଷ୍ପତ୍ତି ସହ ଛିଡ଼ା ହୋଇ ରହିବେ ବୋଲି ସୌଭିକ ସ୍ପଷ୍ଟ କରିଛନ୍ତି।
ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ ପରେ କଟକ-ଚୌଦ୍ୱାର ରାଜନୀତି ଏବେ ସରଗରମ ହୋଇପଡ଼ିଛି। ଆଗାମୀ ଦିନରେ ଏହି ବାକ୍ଯୁଦ୍ଧ ରାଜ୍ୟ ରାଜନୀତିରେ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
- Trending




