ଛାତ୍ର ଆନ୍ଦୋଳନର ବଡ଼ ବିଜୟ ! ମନ୍ତ୍ରୀ ପଦ ଛାଡ଼ିଲେ ଧର୍ମେନ୍ଦ୍ର ପ୍ରଧାନ !

ନିଟ ପ୍ରଶ୍ନପତ୍ର ଲିକ ଓ ଏହାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଚାଲିଥିବା ଛାତ୍ର ଆନ୍ଦୋଳନ ତୀବ୍ର ହେଉଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ରକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଠାଇଛନ୍ତି। କେନ୍ଦ୍ର ସରକାର ଓ କକ୍ରୋଚ ଜନତା ପାର୍ଟି (CJP) ମଧ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଆଲୋଚନାର କିଛି ଘଣ୍ଟା ପୂର୍ବରୁ ସେ ନିଜର X ଆକାଉଣ୍ଟ ମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ଗତ ଏକ ମାସରୁ ଅଧିକ ସମୟ ଧରି ଦିଲ୍ଲୀର ଜନ୍ତର-ମନ୍ତରରେ ଆନ୍ଦୋଳନ କରୁଥିବା ପ୍ରଦର୍ଶନକାରୀଙ୍କର ପ୍ରମୁଖ ଦାବି ଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା।

ଏହି ଦାବିକୁ ନେଇ କେନ୍ଦ୍ର ସରକାର ଓ CJP ମଧ୍ୟରେ ଆଲୋଚନା ଅଚଳାବସ୍ଥାରେ ପହଞ୍ଚିଥିଲା। ଶନିବାର ସକାଳେ CJP ସ୍ପଷ୍ଟ କରିଥିଲା ଯେ, ଯଦି ସରକାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦରୁ ହଟାଇବାକୁ ଅସ୍ୱୀକାର କରେ, ତେବେ କୌଣସି ଆଲୋଚନା ହେବ ନାହିଁ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ପ୍ରଦର୍ଶନକାରୀମାନେ ରଖିଥିବା ସମସ୍ତ ଦାବି ପୂରଣ ହୋଇଥିବା କୁହାଯାଉଛି।

ପ୍ରମୁଖ ଦାବି ଗୁଡ଼ିକ ଥିଲା:

  • ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା।
  • ଛାତ୍ର ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେବା।
  • ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ।

ଶୁକ୍ରବାର ହୋଇଥିବା ଆଲୋଚନାରେ କେନ୍ଦ୍ର ସରକାର ଶେଷ ଦୁଇଟି ଦାବି ପୂରଣ କରିବାକୁ ଆଶ୍ୱାସନ ଦେଇଥିଲେ ମଧ୍ୟ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ କୌଣସି ମତ ପ୍ରକାଶ କରିନଥିଲେ।

ନିଜର X ପୋଷ୍ଟରେ ଇସ୍ତଫା ଘୋଷଣା କରି ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି—

“ଦେଶର ଯୁବପିଢ଼ିର ଆଶା, ଆକାଂକ୍ଷା ଓ ନ୍ୟାୟସଙ୍ଗତ ଅପେକ୍ଷା ପ୍ରତି ମୋର ଗଭୀର ସମ୍ମାନ ରହିଛି। ଭାରତର ଯୁବପିଢ଼ିର ସ୍ୱପ୍ନ ସାକାର କରିବା ଆମର ରାଜନୈତିକ ଓ ସାମାଜିକ ଜୀବନର ନୈତିକ ସଂକଳ୍ପ ରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି।”

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଖବର ପହଞ୍ଚିବା ମାତ୍ରେ ଜନ୍ତର-ମନ୍ତରରେ ଆନ୍ଦୋଳନକାରୀମାନେ ଉତ୍ସବ ପାଳନ କରିଥିଲେ।

ଇସ୍ତଫା ଖବରକୁ ପ୍ରତିକ୍ରିୟା ଦେଇ CJP ପକ୍ଷରୁ “Long Live Student Power” (ଛାତ୍ର ଶକ୍ତି ଅମର ରହୁ) ବୋଲି ପୋଷ୍ଟ କରାଯାଇଥିଲା।

CJPର ପ୍ରତିଷ୍ଠାତା ଅଭିଜିତ ଦିପକେ ଜନ୍ତର-ମନ୍ତର ମଞ୍ଚରୁ କହିଥିଲେ—

“ଆମେ ଏହା କରିଦେଖାଇଛୁ। ସେମାନେ କହୁଥିଲେ ଏହି ସରକାରରେ କେହି ଇସ୍ତଫା ଦିଅନ୍ତି ନାହିଁ। କିନ୍ତୁ ଆମେ ଏହା ସମ୍ଭବ କରିଦେଖାଇଛୁ।”

ଗତ କିଛି ଦିନ ଧରି ଦେଶର ଅନେକ ସହରକୁ ବ୍ୟାପିଥିବା ଏହି ଛାତ୍ର ଆନ୍ଦୋଳନ ଏକ ବଡ଼ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଥିଲା। ବିରୋଧୀ ଦଳମାନେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିଲେ।