Blog
ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି ! ଆଉ ୫ ବର୍ଷ ବଢିଲା ପିଏମ୍ କିଷାନ ଯୋଜନା
ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାକୁ ଆଉ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବଢ଼ାଇବାକୁ ଅନୁମୋଦନ ମିଳିଛି।
ଏହି ବିସ୍ତାର ପାଇଁ ସରକାର ୩ ଲକ୍ଷ ୧୫ ହଜାର କୋଟି ଟଙ୍କା ବ୍ୟୟ କରିବେ। ଏହି ନିଷ୍ପତ୍ତି ଫଳରେ ଦେଶର କୋଟି କୋଟି କ୍ଷୁଦ୍ର ଓ ସୀମାନ୍ତ ଚାଷୀ ପୂର୍ବପରି ଆର୍ଥିକ ସହାୟତା ପାଇବେ। ଯୋଜନା ଅନୁସାରେ ଯୋଗ୍ୟ ଚାଷୀ ପରିବାରଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ତିନୋଟି ସମାନ କିସ୍ତିରେ ଜମା କରାଯାଏ। ଡିବିଟି (Direct Benefit Transfer) ବ୍ୟବସ୍ଥା ମାଧ୍ୟମରେ ଏହି ରାଶି ସିଧା ଚାଷୀଙ୍କ ପାଖକୁ ପହଞ୍ଚୁଥିବାରୁ ସ୍ୱଚ୍ଛତା ବଜାୟ ରହିଛି।
୨୦୧୯ ମସିହାରେ ଆରମ୍ଭ ହୋଇଥିବା ପିଏମ୍-କିଷାନ ଯୋଜନା ଦେଶର କୃଷକମାନଙ୍କ ପାଇଁ ଏକ ପ୍ରମୁଖ କଲ୍ୟାଣକାରୀ ଯୋଜନା ଭାବେ ପରିଚିତ। ଏପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ୪ ଲକ୍ଷ ୪୭ ହଜାର କୋଟି ଟଙ୍କାରୁ ଅଧିକ ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି। ଏହି ଆର୍ଥିକ ସହାୟତା ଚାଷୀମାନଙ୍କୁ ବିହନ, ସାର, କୀଟନାଶକ, ଜଳସେଚନ, କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ଚାଷ ସମ୍ବନ୍ଧୀୟ ଖର୍ଚ୍ଚ ବହନ କରିବାରେ ସହାୟକ ହେଉଛି।
ସରକାରଙ୍କ ମତାନୁସାରେ, ପିଏମ୍-କିଷାନ ଯୋଜନା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ କୃଷି କ୍ଷେତ୍ରରେ ନିବେଶ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରୁଛି। ନୀତି ଆୟୋଗର ମୂଲ୍ୟାଙ୍କନ ମଧ୍ୟ ଏହି ଯୋଜନାର ସକାରାତ୍ମକ ପ୍ରଭାବକୁ ସ୍ୱୀକାର କରିଛି। ଏଥିରେ ଚାଷୀଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ସହ ଋଣ ଉପରେ ନିର୍ଭରଶୀଳତା କିଛି ମାତ୍ରାରେ କମିଥିବା ଉଲ୍ଲେଖ କରାଯାଇଛି।
କେନ୍ଦ୍ର ସରକାରଙ୍କ ଆଶା, ପିଏମ୍-କିଷାନ ଯୋଜନାର ଅବଧି ବୃଦ୍ଧି ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବା ସହ ଗ୍ରାମୀଣ ଅର୍ଥନୀତି ଆହୁରି ମଜବୁତ ହେବ। ଏହା ଦେଶର କୃଷି କ୍ଷେତ୍ରର ବିକାଶ ଓ ଚାଷୀ କଲ୍ୟାଣକୁ ଅଧିକ ଗତି ଦେବ ବୋଲି ସରକାର ବିଶ୍ୱାସ ପ୍ରକାଶ କରିଛନ୍ତି।
- Trending




