ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ସ୍ଥିତ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସତ୍ୟ ନାରାୟଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବୈଠକ ଆୟୋଜିତ ହୋଇଥିଲା।

ବୈଠକରେ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଶିକ୍ଷା କାର୍ଯ୍ୟକ୍ରମ ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଶେଷକରି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପୋଷାକ ବିତରଣ, ମଧ୍ୟାହ୍ନ ଭୋଜନ ଯୋଜନାର ସୁଚାରୁ ପରିଚାଳନା, ୟୁଡାଇସ୍ (UDISE) ତଥ୍ୟ ଅଦ୍ୟତନ, ଏବଂ ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା।

ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦାସ ବାଳିକା ଶିକ୍ଷାର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ ଅଧିକରୁ ଅଧିକ ଛାତ୍ରୀଙ୍କୁ ଆଇ.ଟି.ଆଇ. ପରି ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ଦକ୍ଷତାଭିତ୍ତିକ ଶିକ୍ଷା ସହିତ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଧାନ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ‘ଉଲ୍ଲାସ’ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ବିଦ୍ୟାଳୟରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରି ସାକ୍ଷରତା ହାର ବୃଦ୍ଧି ଦିଗରେ ଅଧିକ ସକ୍ରିୟ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ।

ବୈଠକରେ ଶିକ୍ଷକ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷକରି ଯେଉଁ ବିଦ୍ୟାଳୟ ଗୁଡ଼ିକରେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଏକାଠି ଚାଲୁଛି, ସେଠାରେ ଶିକ୍ଷକଙ୍କ ଖାଲି ପଦ ଯୋଗୁ ପାଠପଢ଼ା ବ୍ୟାହତ ହେଉଥିବାରୁ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିୟମିତ ଶ୍ରେଣୀଗୃହରେ ପାଠଦାନ କରି ଛାତ୍ରଛାତ୍ରୀଙ୍କ ଶିକ୍ଷାରେ କୌଣସି ବାଧା ନ ଆସିବାକୁ ସତର୍କ ରହିବା ପାଇଁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ବ୍ଲକର ୧୬ଟି କ୍ଲଷ୍ଟରର ସିଆରସିସି (CRCC) ମାନେ ଉପସ୍ଥିତ ରହି ବିଭିନ୍ନ ଶିକ୍ଷାଗତ ପ୍ରସଙ୍ଗରେ ମତାମତ ରଖିଥିଲେ। ବୈଠକରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ସରକାରୀ ଯୋଜନାର ସଫଳ ରୂପାୟନ ଏବଂ ବିଦ୍ୟାଳୟଗୁଡ଼ିକର ସାମଗ୍ରିକ ଉନ୍ନତି ପାଇଁ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା।