ଝାରସୁଗୁଡ଼ା ରାଜନୀତିରେ ବଢ଼ିଲା ତାତି ! ଲାଭରେ ରହିବ କି କଂଗ୍ରେସ ?

ଝାରସୁଗୁଡ଼ା ରାଜନୀତିରେ ବର୍ତ୍ତମାନ ଅସ୍ଥିରତା ଓ ଅନ୍ତଃକନ୍ଦଳର ପରିସ୍ଥିତି ଦେଖାଦେଇଛି। ଶାସକ ବିଜେପି ଓ ବିରୋଧୀ ବିଜେଡି ଉଭୟ ଦଳ ଭିତରେ ମତଭେଦ ଓ ଗୋଷ୍ଠୀ ବିବାଦ ସାମ୍ନାକୁ ଆସିଥିବାବେଳେ, କଂଗ୍ରେସ ପାଇଁ ଏହା ଏକ ବଡ଼ ରାଜନୈତିକ ସୁଯୋଗ ବୋଲି ଚର୍ଚ୍ଚା ହେଉଛି।

ଗୋଟିଏପଟେ ବିଜେଡିରେ ପୂର୍ବତନ ବିଧାୟକ ସ୍ବର୍ଗତଃ ନବ ଦାସଙ୍କ ଝିଅ ତଥା ଦଳର ପ୍ରମୁଖ ନେତ୍ରୀ ଦୀପାଳି ଦାସ ଏବଂ ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କ ମଧ୍ୟରେ ରାଜନୈତିକ ଟଣାଓଟରା ଚାଲିଥିବାବେଳେ, ଅନ୍ୟପଟେ ବିଜେପିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ମଧ୍ୟ ବିବାଦ ତୀବ୍ର ହେଉଥିବା ଚର୍ଚ୍ଚା ଜୋର ଧରିଛି। ଉଭୟ ଦଳର ନେତାମାନେ ପରସ୍ପରକୁ ଟାର୍ଗେଟ କରି ଦୋଷାରୋପ ଓ ପ୍ରତିଦୋଷାରୋପରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି ।

ରାଜନୈତିକ ମହଲରେ ଆଉ ଏକ ଚର୍ଚ୍ଚା ହେଉଛି ଯେ, ବିଜେପିର ଦୁଇ ପ୍ରମୁଖ ନେତା ବିଜେଡିର ଦୁଇ ଭିନ୍ନ ନେତ୍ରୀଙ୍କ ପ୍ରତି ଭିନ୍ନ ଭିନ୍ନ ଆଭିମୁଖ୍ୟ ରଖୁଛନ୍ତି। ଚର୍ଚ୍ଚା ଅନୁଯାୟୀ, ସୁରେଶ ପୂଜାରୀ ଦୀପାଳି ଦାସଙ୍କ ପ୍ରତି ସକାରାତ୍ମକ ମନୋଭାବ ରଖୁଥିବାବେଳେ, ଟଙ୍କଧର ତ୍ରିପାଠୀ ଅଳକା ମହାନ୍ତିଙ୍କ ପ୍ରତି ସମର୍ଥନଶୀଳ ବୋଲି ସ୍ଥାନୀୟ ସ୍ତରରେ ଆଲୋଚନା ହେଉଛି। ତେବେ ଏନେଇ ସମ୍ପୃକ୍ତ ନେତାମାନଙ୍କ ପକ୍ଷରୁ କୌଣସି ଔପଚାରିକ ବୟାନ ସାମ୍ନାକୁ ଆସିନାହିଁ।

ସେହିପରି, ଟଙ୍କଧର ତ୍ରିପାଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘନିଷ୍ଠ ବୋଲି କୁହାଯାଉଥିବାବେଳେ, ସୁରେଶ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟତମ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହା ମଧ୍ୟ ଏହି ବିବାଦକୁ ଆହୁରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି।

ଏଭଳି ପରିସ୍ଥିତିରେ ଝାରସୁଗୁଡ଼ାରେ କଂଗ୍ରେସ ପାଇଁ ଏକ ରାଜନୈତିକ ସୁଯୋଗ ସୃଷ୍ଟି ହୋଇଛି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି । ବିଜେଡି ଓ ବିଜେପିର ଅନ୍ତଃକନ୍ଦଳକୁ ପ୍ରସଙ୍ଗ କରି କଂଗ୍ରେସ ଯଦି ଜନସାଧାରଣଙ୍କ ନିକଟରେ ନିଜର ସଂଗଠନକୁ ସୁଦୃଢ଼ କରିପାରେ, ତେବେ ଦଳ ଆଗାମୀ ଦିନରେ ଝାରସୁଗୁଡ଼ା ରାଜନୀତିରେ ପୁଣି ଥରେ ପ୍ରଭାବଶାଳୀ ଭୂମିକା ନେଇପାରିବ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ବିଜେଡି ଓ ବିଜେପିର ଅନ୍ତଃକନ୍ଦଳରୁ କଂଗ୍ରେସ ପ୍ରକୃତରେ ରାଜନୈତିକ ଫାଇଦା ଉଠାଇପାରିବ କି ? ନା ଏହି ସୁଯୋଗ ମଧ୍ୟ ହାତଛଡ଼ା ହୋଇଯିବ ? ଆଗାମୀ ଦିନରେ ଝାରସୁଗୁଡ଼ାର ରାଜନୀତି ଏହାର ଉତ୍ତର ଦେବ।