Blog
ଜୋର ଧରିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲା CJP ପ୍ରତିନିଧି ଦଳ
ସୋନମ ୱାଙ୍ଗଚୁକ୍ଙ୍କ ଗିରଫ ଓ ନିଟ୍ (NEET) ପ୍ରସଙ୍ଗକୁ ନେଇ ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ, CJP (Cockroach Janta Party)ର ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡାଙ୍କୁ ଭେଟି ତିନି ଦଫା ଦାବିପତ୍ର ଉପସ୍ଥାପନ କରିଛି। CJPର ମୁଖପାତ୍ର ସୌରଭ ଦାସ ଏହି ସୂଚନା ଦେଇଛନ୍ତି।
ସୌରଭ ଦାସ କହିଛନ୍ତି ଯେ, ସୋନମ ୱାଙ୍ଗଚୁକ୍ଙ୍କୁ ତୁରନ୍ତ ମୁକ୍ତ କରିବା ସେମାନଙ୍କର ପ୍ରଥମ ଦାବି। ଦ୍ୱିତୀୟ ଦାବି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ କିମ୍ବା ସେ ନୈତିକତାର ଆଧାରରେ ନିଜେ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଶିକ୍ଷା ମନ୍ତ୍ରୀ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
ତୃତୀୟ ଦାବି ଭାବେ, NEET ପରୀକ୍ଷାର ତ୍ରୁଟି ଓ ବ୍ୟବସ୍ଥାଗତ ବିଫଳତା ଯୋଗୁ ପ୍ରାଣ ହରାଇଥିବା ଛାତ୍ରଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ସୌରଭ ଦାସ କହିଛନ୍ତି ଯେ, NEET ପ୍ରସଙ୍ଗକୁ କେନ୍ଦ୍ର କରି ୨୦ ଜଣ ଆଶାୟୀ ଆତ୍ମହତ୍ୟା କରିଥିବା ଘଟଣା ସମ୍ପର୍କରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି।
ଏପଟେ CJPର ବିକ୍ଷୋଭ ସମୟରେ ପୋଲିସ ଆକ୍ରମଣ କରିଥିବା ଅଭିଯୋଗକୁ ଦିଲ୍ଲୀ ପୋଲିସ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ୧୨ ବର୍ଷର ଝିଅ ଗୀତାଞ୍ଜଳିଙ୍କ ଚୁଟି ଟାଣି ମାଡ଼ ମରାଯାଇଥିବା ଖବର ସମ୍ପୂର୍ଣ୍ଣ ଭୁଲ। ସେହିପରି ୪୦ରୁ ୫୦ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦାବି ମଧ୍ୟ ସତ୍ୟ ନୁହେଁ ବୋଲି ପୋଲିସ ସ୍ପଷ୍ଟ କରିଛି।

ଦିଲ୍ଲୀ ପୋଲିସ କହିଛି ଯେ, ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଅନେକ ଖବର ଭ୍ରମାତ୍ମକ ଏବଂ ତଥ୍ୟଭିତ୍ତିକ ନୁହେଁ। ଏପରି ଅପ୍ରମାଣିତ ସୂଚନାକୁ ବିଶ୍ୱାସ ନ କରିବାକୁ ପୋଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି।
ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, CJP ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାର ସଙ୍କେତ ଦିଆଯାଇଛି। ଅନ୍ୟପଟେ, ଆକ୍ରମଣ ସମ୍ପର୍କିତ ଅଭିଯୋଗକୁ ଦିଲ୍ଲୀ ପୋଲିସ ଖଣ୍ଡନ କରିବା ପରେ ଘଟଣାକୁ ନେଇ ବିବାଦ ଆହୁରି ବଢ଼ିଛି।
- Trending




