Blog
୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରରେ ବିଭିନ୍ନ ସରକାରୀ, ଶିକ୍ଷାନୁଷ୍ଠାନ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ ପ୍ରାଥମିକ କାର୍ଯ୍ୟସୂଚୀ ରାଜ୍ୟ ସରକାର ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଥିବାବେଳେ, ସୁରକ୍ଷା ଓ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି।
ଅଗଷ୍ଟ ୩ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ ଲୋକସେବା ଭବନରେ ବିଶ୍ରାମ ନେବେ। ସେହିଦିନ କଟକରେ ନବପ୍ରତିଷ୍ଠିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାରୋହରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ।
ଅଗଷ୍ଟ ୪ ତାରିଖ ସକାଳେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ। ରାଷ୍ଟ୍ରପତିଙ୍କ ଏହି ଟ୍ରେନ୍ ଯାତ୍ରାକୁ ନେଇ ରେଳବାଇ ଓ ରାଜ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି। ବ୍ରହ୍ମପୁର ଷ୍ଟେସନରୁ ସଡ଼କ ପଥରେ ସେ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଅଭିମୁଖେ ଯାଇ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ।
ଏହାପରେ ରାଷ୍ଟ୍ରପତି ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ କିମ୍ବା ସୁରକ୍ଷା କାରଣରୁ ନିର୍ଦ୍ଧାରିତ ଅନ୍ୟ କୌଣସି ସ୍ଥାନରେ ରାତ୍ରିଯାପନ କରିବେ। ସୁରକ୍ଷା ଦୃଷ୍ଟିରୁ ଏହି ସ୍ଥାନକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଘୋଷଣା କରାଯିବ।
ଅଗଷ୍ଟ ୫ ତାରିଖରେ ରାଷ୍ଟ୍ରପତି ଗୋପାଳପୁରରୁ ବ୍ରହ୍ମପୁର ରେଳ ଷ୍ଟେସନକୁ ଆସି ପୁଣି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ଯୋଗେ ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ଭୁବନେଶ୍ୱର ଓ ବ୍ରହ୍ମପୁର ରେଳ ଷ୍ଟେସନରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ ପ୍ଲାଟଫର୍ମ ପରିଚାଳନା, ଗ୍ରିନ୍ ରୁମ୍ ବ୍ୟବସ୍ଥା, ଭିଭିଆଇପି ଚଳାଚଳ, ସ୍ୱତନ୍ତ୍ର ରେଳ କୋଚ୍ ବ୍ୟବସ୍ଥା ଓ ରେଳବାଇ ସହ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିସହ ଓଡ଼ିଶା ପୁଲିସ, ରେଳ ସୁରକ୍ଷା ବଳ (RPF), ଜିଆରପି, ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (SPG) ଓ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି।
ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଭୁବନେଶ୍ୱର, କଟକ, ଗଞ୍ଜାମ ଓ ବ୍ରହ୍ମପୁର ଅଞ୍ଚଳରେ ଟ୍ରାଫିକ୍ ପରିଚାଳନା, ସୁରକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଶୀଘ୍ର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହେବାର ସମ୍ଭାବନା ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଓ ସରକାରୀ ବିଭାଗଗୁଡ଼ିକ ସତର୍କ ହୋଇପଡ଼ିଛନ୍ତି।
- Trending




