Blog
୧୬ରୁ ପୁରୀ ‘ନୋ ଫ୍ଲାଇଂ ଜୋନ୍’ ! ଡ୍ରୋନ୍ ଉଡ଼ାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ
ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ପୁରୀ ସହରକୁ ‘ନୋ ଫ୍ଲାଇଂ ଜୋନ୍’ ଭାବେ ଜିଲ୍ଲାପାଳ ଘୋଷଣା କରିଛନ୍ତି ।
ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଜୁଲାଇ ୧୬ ତାରିଖ ରଥଯାତ୍ରା ଦିନ ଠାରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ପୁରୀ ସହରରେ ନୋ ଫ୍ଲାଇଂ ଜୋନ୍ କଟକଣା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ପୁରୀ ସହରର ୫ କିଲୋମିଟର ପରିଧି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଛି।
ନୋ ଫ୍ଲାଇଂ ଜୋନ୍ ଅଞ୍ଚଳରେ ମାନବବିହୀନ ଏୟାରକ୍ରାଫ୍ଟ ବା ଅନମ୍ୟାନ୍ଡ ଏରିଅଲ୍ ଭେହିକିଲ୍ (UAV) ଏବଂ ଡ୍ରୋନ୍ ଉଡ଼ାଇବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ବ୍ୟକ୍ତିଗତ, ବ୍ୟବସାୟିକ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବିନା ଅନୁମତିରେ ଡ୍ରୋନ୍ କିମ୍ବା ମାନବବିହୀନ ଉଡ଼ାଣ ଯାନ ବ୍ୟବହାର ନକରିବାକୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତ ଶ୍ରୀକ୍ଷେତ୍ର ପୁରୀରେ ସମାଗମ କରିବେ। ବଡ଼ଦାଣ୍ଡ ସମେତ ଶ୍ରୀମନ୍ଦିର ଅଞ୍ଚଳ ଏବଂ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଜନସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆକାଶପଥରୁ କୌଣସି ପ୍ରକାର ସୁରକ୍ଷା ବିପଦକୁ ଏଡ଼ାଇବା ଏବଂ ରଥଯାତ୍ରାର ସାମଗ୍ରିକ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି କଟକଣା ଜାରି କରାଯାଇଛି।
ବିଶେଷକରି ଡ୍ରୋନ୍ର ଅନଧିକୃତ ଉଡ଼ାଣ ଉପରେ ପ୍ରଶାସନର କଡ଼ା ନଜର ରହିବ। କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ନୋ ଫ୍ଲାଇଂ ଜୋନ୍ ନିର୍ଦ୍ଦେଶକୁ ଉଲ୍ଲଂଘନ କଲେ ପ୍ରଚଳିତ ଆଇନ୍ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରଶାସନ ବିଭିନ୍ନ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରୁଛି। ତେଣୁ ନାଗରିକ, ପର୍ଯ୍ୟଟକ, ଗଣମାଧ୍ୟମ ପ୍ରତିନିଧି ଏବଂ ଡ୍ରୋନ୍ ଅପରେଟରମାନଙ୍କୁ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ସହ ସୁରକ୍ଷିତ ରଥଯାତ୍ରା ଆୟୋଜନରେ ସହଯୋଗ କରିବାକୁ କୁହାଯାଇଛି।
- Trending




