୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ! ସୁନାବେଶ ପାଇଁ ପୁରୀରେ ହାଇ ଆଲର୍ଟ

ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ରଥଯାତ୍ରା ପର୍ବ ମଧ୍ୟରୁ ସୁନାବେଶ ଆୟୋଜନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ବୋଲି ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ସେ କହିଛନ୍ତି, ପ୍ରତିବର୍ଷ ସୁନାବେଶ ଦର୍ଶନ ପାଇଁ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ ହୋଇଥାନ୍ତି। ମାତ୍ର ଅଢ଼େଇ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପୁରୀ ସହରରେ ଏତେ ବିପୁଳ ସଂଖ୍ୟକ ଭକ୍ତଙ୍କ ଆଗମନକୁ ସୁଚାରୁ ଭାବେ ପରିଚାଳନା କରିବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ।

ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏହି କାରଣରୁ ଟ୍ରାଫିକ୍ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସହରରେ ଯାନବାହନ ଚଳାଚଳ ସୁବ୍ୟବସ୍ଥିତ ରଖିବା, ଭକ୍ତମାନଙ୍କ ଯାତାୟାତକୁ ସହଜ କରିବା ଏବଂ ଜନଗହଳିକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି।

ସେ ଆହୁରି କହିଛନ୍ତି ଯେ, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବ୍ୟାପକ ପାର୍କିଂ ବ୍ୟବସ୍ଥା କରାଯାଇଛି। ତେବେ ପୂର୍ବ ଅଭିଜ୍ଞତା ଅନୁଯାୟୀ ଅନେକ ସମୟରେ ପାର୍କିଂ ସ୍ଥାନ ଶୀଘ୍ର ପୂରଣ ହୋଇଯାଇଥାଏ। ତେଣୁ ଶ୍ରଦ୍ଧାଳୁମାନେ ପୁରୀ ଆସିବା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ଜାରି କରାଯାଉଥିବା ଟ୍ରାଫିକ୍ ଆଡଭାଇଜରି, ରୁଟ୍ ପ୍ଲାନ୍ ଏବଂ ପାର୍କିଂ ସମ୍ପର୍କିତ ସମସ୍ତ ସୂଚନା ଭଲ ଭାବେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି।

ଭକ୍ତମାନଙ୍କୁ ସଠିକ୍ ଓ ସମୟୋପଯୋଗୀ ସୂଚନା ପହଞ୍ଚାଇବା ପାଇଁ ସୋସିଆଲ ମିଡିଆ, ଗଣମାଧ୍ୟମ, ପୋଲିସର ଅଫିସିଆଲ୍ ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମରେ ନିୟମିତ ଅପଡେଟ୍ ଜାରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବା, ଟ୍ରାଫିକ୍ ନିୟମ ମାନିବା ଏବଂ ପୋଲିସର ପରାମର୍ଶ ଅନୁସରଣ କରି ସୁରକ୍ଷିତ ଭାବେ ସୁନାବେଶ ଦର୍ଶନ କରିବାକୁ ଅନୁରୋଧ କରାଯାଇଛି।