ପଦ୍ମ ବିଜେତାଙ୍କୁ ରଥଯାତ୍ରା ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ନିମନ୍ତ୍ରଣ କରାଯାଇଛି। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା ପାଇଁ ରାଜ୍ୟର ସମସ୍ତ ପଦ୍ମ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆମନ୍ତ୍ରଣ କରିଛନ୍ତି ।

ରାଜ୍ୟର କଳା, ସଂସ୍କୃତି, ସାହିତ୍ୟ, ସମାଜସେବା, ଚିକିତ୍ସା, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଥିବା ବ୍ୟକ୍ତିତ୍ୱମାନଙ୍କୁ ଏଥର ରଥଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଛି। ରାଜ୍ୟର ଏହି ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ମାନ ଜଣାଇବା ସହ ଓଡ଼ିଶାର ମହାନ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରା ସହ ଯୋଡ଼ିବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।

ଆସନ୍ତା ୧୬ ତାରିଖରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରତ୍ନବେଦୀ ଛାଡ଼ି ତିନି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଏହି ପବିତ୍ର ରଥଯାତ୍ରାର ସାକ୍ଷୀ ହେବା ପାଇଁ ଦେଶବିଦେଶରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପୁରୀରେ ସମାଗମ ହେବେ।

ରଥଯାତ୍ରାକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱତନ୍ତ୍ର ନିମନ୍ତ୍ରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।