Blog
ରଥଯାତ୍ରାରେ ଭକ୍ତଙ୍କ ଦୁର୍ଦ୍ଦଶା ! ହୋଟେଲରେ ଚାରିଗୁଣା ଭଡ଼ା, ରାସ୍ତାରେ କଟୁଛି ରାତି
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ସହରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଦେଶ ଓ ବିଦେଶରୁ ଆସିଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଭିଡ଼ ଜମାଇଥିବା ବେଳେ, ରହଣି ବ୍ୟବସ୍ଥାକୁ ନେଇ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି କିଛି ହୋଟେଲ ମାଲିକଙ୍କ ମନମାନି, ଅତ୍ୟଧିକ ଭଡ଼ା ଆଦାୟ ଏବଂ ବାଧ୍ୟତାମୂଳକ ବୁକିଂ ବ୍ୟବସ୍ଥା ଯୋଗୁ ଗରିବ ଓ ମଧ୍ୟବିତ୍ତ ଶ୍ରଦ୍ଧାଳୁମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି।
ଅଭିଯୋଗ ଅନୁଯାୟୀ, ରଥଯାତ୍ରା ସମୟରେ ଅନେକ ହୋଟେଲ ସାଧାରଣ ସମୟ ତୁଳନାରେ ପ୍ରାୟ ଚାରିଗୁଣା ଅଧିକ ଭଡ଼ା ଆଦାୟ କରୁଛନ୍ତି। ଏପରିକି ଛୋଟ ହୋଟେଲରେ ମଧ୍ୟ ତିନି ଦିନର ବାଧ୍ୟତାମୂଳକ ବୁକିଂ କରାଯାଉଛି। ଗୋଟିଏ ଦିନ ରହିବାକୁ ଚାହୁଁଥିବା ଭକ୍ତଙ୍କୁ ମଧ୍ୟ ତିନି ଦିନର ଭଡ଼ା ଦେବାକୁ ପଡ଼ୁଛି। ଅନେକ ସ୍ଥାନରେ ସାଧାରଣ ହୋଟେଲ ରୁମ୍ ପାଇଁ ୧୮ ହଜାରରୁ ୩୦ ହଜାର, ଏପରିକି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିବା ଅଭିଯୋଗ ଆସିଛି।
ଫଳରେ ଅନେକ ଗରିବ ଓ ମଧ୍ୟବିତ୍ତ ପରିବାର ହୋଟେଲରେ ରହିପାରୁ ନାହାନ୍ତି। ବାଧ୍ୟ ହୋଇ ସେମାନେ ବଡ଼ଦାଣ୍ଡ, ସମୁଦ୍ରକୂଳ, ଫୁଟପାଥ ଓ ଖୋଲା ସ୍ଥାନରେ ରାତି କାଟୁଛନ୍ତି। ଚଳିତ ବର୍ଷ ବର୍ଷା ଯୋଗୁ ସେମାନଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ବର୍ଷାରୁ ବଞ୍ଚିବା ପାଇଁ ଅନେକ ଭକ୍ତ ପ୍ଲାଷ୍ଟିକ ଶିଟ୍ କିଣି ଖୋଲା ଆକାଶ ତଳେ ଆଶ୍ରୟ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ପୂର୍ବରୁ ପୁରୀରେ ଉପଲବ୍ଧ ଥିବା ସ୍ୱଳ୍ପ ଖର୍ଚ୍ଚର ଧର୍ମଶାଳା ଗୁଡ଼ିକ ବର୍ତ୍ତମାନ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ପୁଲିସ ଥାନାରେ ପରିଣତ ହୋଇଥିବାରୁ ସାଧାରଣ ଭକ୍ତଙ୍କ ପାଇଁ ରହଣି ସୁବିଧା ଆହୁରି ସୀମିତ ହୋଇଯାଇଛି। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
ଅନ୍ୟପଟେ, ଭିଆଇପି, ଜନପ୍ରତିନିଧି ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ସରକାରୀ ଖର୍ଚ୍ଚରେ ମାଗଣା ଟେଣ୍ଟ, ରହିବା ଓ ଭୋଜନର ବ୍ୟବସ୍ଥା କରାଯାଇଥିବା ବେଳେ, ସାଧାରଣ ଭକ୍ତଙ୍କ ପାଇଁ ସେଭଳି ସୁବିଧା ନଥିବାକୁ ନେଇ ପ୍ରଶ୍ନ ଉଠିଛି। ଅନେକ ସାମାଜିକ ସଂଗଠନ ଏହାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏହା ସହ ବଡ଼ଦାଣ୍ଡ ପାର୍ଶ୍ୱବର୍ତ୍ତୀ ଘର ଗୁଡ଼ିକର ଛାତ ଉପରେ ବସାଇ ରଥଯାତ୍ରା ଦେଖାଇବା ନାଁରେ ମଧ୍ୟ ହଜାର ହଜାର ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏହା ଉପରେ ପ୍ରଶାସନର ଦୃଷ୍ଟି ଦେବାକୁ ଦାବି ହୋଇଛି ।
ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ହଜାର ହଜାର ଭକ୍ତ ନିଜ ଘରକୁ ଫେରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପର୍ଯ୍ୟାପ୍ତ ଟ୍ରେନ୍ ଓ ବସ୍ ସେବା ନ ମିଳିବାରୁ ଅନେକ ଯାତ୍ରୀ ବଡ଼ଦାଣ୍ଡ ଓ ଷ୍ଟେସନ ପରିସରରେ ଅଟକି ରହିଥିଲେ।
ତେବେ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ରେଳ ଷ୍ଟେସନରେ ହଜାର ହଜାର ଯାତ୍ରୀଙ୍କ ରାତ୍ରିଯାପନ ପାଇଁ ସ୍ୱତନ୍ତ୍ର ଆଶ୍ରୟ, ପାନୀୟ ଜଳ, ଶୌଚାଳୟ ଓ ବିଶ୍ରାମ ବ୍ୟବସ୍ଥା କରାଯାଇଥିବାରୁ ବହୁ ଭକ୍ତ ଉପକୃତ ହୋଇଛନ୍ତି।
ହେଲେ ହୋଟେଲ ମାଲିକଙ୍କ ମନମାନି, ଅତ୍ୟଧିକ ଭଡ଼ା ଆଦାୟ, ଅପର୍ଯ୍ୟାପ୍ତ ରହଣି ବ୍ୟବସ୍ଥା ଓ ପରିବହନ ସମସ୍ୟା ଉପରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ କଠୋର ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଜୋରଦାର ଦାବି ହେଉଛି। ଭକ୍ତମାନଙ୍କ ମତରେ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଆଗାମୀ ଦିନରେ ସ୍ଥାୟୀ ଓ ସୁବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ।
- Trending




