Blog
ଟଙ୍କଧର-ସୁରେଶ କଳି, ବିଜେଡି ଫାଇଦା !
ପଶ୍ଚିମ ଓଡ଼ିଶା ରାଜନୀତିରେ ଏବେ ହଟଚମଟ ସୃଷ୍ଟି ହୋଇଛି । ଗୋଟିଏ ପଟେ ଶାସକ ଦଳର ନେତାଙ୍କୁ ସାଧାରଣ ଜନତା ଓ ଚାଷୀ ବିରୋଧ କରୁଥିବା ବେଳେ ଅନ୍ୟପଟେ ଉଭୟ ବିଜେପିରେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେଲାଣି । ଖାସ କରି ଝାରସୁଗୁଡ଼ାରେ ଚାଲିଛି ଜୋରଦାର ଫାଇଟଷ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟରେ ପୂର୍ବରୁ ଉଭୟଙ୍କ ମଧ୍ୟରେ ହେଉଥିବା କଳି ଦାଣ୍ଡକୁ ଦିଶୁନଥିଲା । କିନ୍ତୁ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।
ଶନିବାର ଦିନ ସୁରେଶ ପୂଜାରୀ ଝାରସୁଗୁଡ଼ା କନ୍ଦାଗାଡ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଟିଏ ଗୋଷ୍ଠୀ ସୁରେଶ ପୂଜାରୀ ଜିନ୍ଦାବାଦ ନାରା ଦେଉଥିବା ବେଳେ ଆଉ କିଛି କର୍ମୀ ତାଙ୍କୁ ତୀବ୍ର ବିରୋଧ କରିଥିଲେ । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଏହି ବିରୋଧ ପ୍ରଦର୍ଶନ ପଛରେ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଗୋଷ୍ଠୀର ହାତ ରହିଛି । ଯଦିଓ ଏହି ଦୁଇ ନେତାଙ୍କ ଶୀତଳ ଯୁଦ୍ଧ ବିଷୟରେ ସମସ୍ତେ ଜାଣିଥିଲେ । ହେଲେ ଏବେ ଏହା ଜନସମ୍ମୁଖକୁ ଆସିବା ପରେ ଦଳୀୟ ଏକତାକୁ ନେଇ ପ୍ରଶ୍ନ ଉଠୁଛି ।
ଆଉ ଟଙ୍କଧର ଓ ସୁରେଶ ପୂଜାରୀଙ୍କ କଳିରୁ ଫାଇଦା ନେଇପାରେ ବିଜେଡ଼ି । କାରଣ କାରଣ ୨୦୨୪ ନିର୍ବାଚନ ପରେ ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାରେ ନିଜର ସଂଗଠନକୁ ପୁଣି ସୁଦୃଢ଼ କରିବାକୁ ବିଜେଡି ପ୍ରୟାସ ଜାରି ରଖିଛି । ବିଜେପି ଭିତରେ ଯଦି ଗୋଷ୍ଠୀ କନ୍ଦଳ ଆହୁରି ବଢ଼େ, ତେବେ ବିରୋଧୀ ଦଳ ଏହାକୁ ରାଜନୈତିକ ପ୍ରସଙ୍ଗ କରିପାରେ । ଚାଷୀ ସମସ୍ୟା, ସାର ସଙ୍କଟ, ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗ ସହ ଏହି ଅନ୍ତର୍ଦ୍ୱନ୍ଦ୍ୱକୁ ମଧ୍ୟ ହାତିଆର କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।
ତେବେ ଏବେ ନଜର ରହିବ ବିଜେପି ନେତୃତ୍ୱ ଉପରେ, ଦଳ ଏହି ବିବାଦକୁ କେବଳ ଏକ ସ୍ଥାନୀୟ ଘଟଣା ବୋଲି ଦେଖିବ ନା ଏହାର ସମାଧାନ ପାଇଁ ସାଂଗଠନିକ ସ୍ତରରେ ପଦକ୍ଷେପ ନେବ ?
- Trending




