ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ୍ କଟକଣା: ଶ୍ରୀମନ୍ଦିର ଭିତରେ ୫୨ଟି ସିସିଟିଭି କ୍ୟାମେରା ,ମନ୍ଦିର ବାହାରେ ୨୫୦ଟି ସିସିଟିଭି କ୍ୟାମେରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ କଟକଣା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ଓ ସହରରେ ଯାନବାହନ ଚଳାଚଳକୁ ସୁଚାରୁ ରୂପେ ପରିଚାଳନା ଲକ୍ଷ୍ୟରେ ବିଭିନ୍ନ ରୁଟ୍‌ରେ ସ୍ୱତନ୍ତ୍ର ପାର୍କିଂ ଓ ଟ୍ରାଫିକ୍ ନିୟମ ଲାଗୁ କରାଯାଇଛି। ଏନେଇ ପୁରୀ ଏସ୍‌ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର, ବ୍ରହ୍ମଗିରି ଏବଂ କୋଣାର୍କ ପଟୁ ପୁରୀକୁ ଆସୁଥିବା ଦୁଇ ଚକିଆ ଯାନକୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳିବ। ସେଠାରେ ଥିବା ମ୍ୟୁନିସିପାଲିଟି ମାର୍କେଟ୍ କମ୍ପ୍ଲେକ୍ସରେ ପ୍ରଥମେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହି ପାର୍କିଂ ସ୍ଥାନ ପୂର୍ଣ୍ଣ ହୋଇଗଲେ ଗାଡ଼ି ଗୁଡ଼ିକୁ ପୁରୁଣା ଜଗନ୍ନାଥ ବଲ୍ଲଭ ପାର୍କିଂରେ ରଖାଯିବ।

ସମୁଦ୍ରକୂଳକୁ ବୁଲିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଦିଗବାରେଣୀ ନିକଟରେ ସ୍ୱତନ୍ତ୍ର ଦୁଇ ଚକିଆ ପାର୍କିଂ ବ୍ୟବସ୍ଥା କରାଯାଇଛି।

ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ଚାରି ଚକିଆ ଯାନଗୁଡ଼ିକ ବାଟଗାଁ ଓ ଶ୍ରୀସେତୁ ଦେଇ ନ୍ୟୁ ଜଗନ୍ନାଥ ବଲ୍ଲଭ ପାର୍କିଂରେ ରଖାଯିବ। ସେହି ପାର୍କିଂ ପୂର୍ଣ୍ଣ ହୋଇଗଲେ ଗାଡ଼ିଗୁଡ଼ିକୁ ଜେଲ୍ ରୋଡ୍, ମେଡିକାଲ୍ ଛକ ଏବଂ ଶରଧାବାଲି ନିକଟରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନକୁ ପଠାଯିବ।

ପୁରୀକୁ ଆସୁଥିବା ସମସ୍ତ ବସ୍ ପାଇଁ ମାଳତୀପାଟପୁରରେ ରହଣୀ ବ୍ୟବସ୍ଥା କରାଯାଇଛି। ସିଟି ବସ୍ଗୁଡ଼ିକ ଶରଧାବାଲିରେ ଏବଂ ଟୁରିଷ୍ଟ ବସ୍ଗୁଡ଼ିକ ତାଳବଣିଆରେ ପାର୍କିଂ କରାଯିବ।

ଶ୍ରୀଜଗନ୍ନାଥ ମନ୍ଦିରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାରେ ସାଧାରଣ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଭକ୍ତମାନଙ୍କ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ ଏବଂ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।

ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଏବଂ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ସିସିଟିଭି ନଜରଦାରୀରେ ରଖାଯିବ। ଶ୍ରୀମନ୍ଦିର ଭିତରେ ୫୨ଟି ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ମନ୍ଦିର ବାହାରେ ୨୫୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଏହାସହ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଆହୁରି ୩୦ଟି ସିସିଟିଭି କ୍ୟାମେରା ମାଧ୍ୟମରେ କଡ଼ା ନଜରଦାରୀ ବ୍ୟବସ୍ଥା କରାଯାଇଛି।

ପୋଲିସ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ନିର୍ଦ୍ଧାରିତ ଟ୍ରାଫିକ୍ ରୁଟ୍, ପାର୍କିଂ ନିୟମ ଓ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରି ସ୍ନାନଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।