କ୍ୟାନ୍‌ସର ଚିକିତ୍ସାକୁ ନେଇ ସରକାରଙ୍କ ବଡ଼ ଘୋଷଣା ! ଆୟୁଷ୍ମାନ କାର୍ଡରେ ମିଳିବ ନୂଆ ସୁବିଧା

ରାଜ୍ୟର କ୍ୟାନ୍‌ସର ରୋଗୀଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଆୟୁଷ୍ମାନ ଭାରତ କାର୍ଡ ଜରିଆରେ କ୍ୟାନ୍‌ସର ଚିକିତ୍ସାର ସୁବିଧା ମିଳିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କ୍ୟାନ୍‌ସର ଆରୋଗ୍ୟ ଯୋଜନାକୁ ସାମିଲ କରାଯାଇଛି। ଏହା ସହ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଅନ୍ତର୍ଗତ ୧୨୧ଟି ନୂଆ ଚିକିତ୍ସା ପ୍ୟାକେଜ୍ ସାମିଲ କରାଯାଇଛି। ଏହି ପ୍ୟାକେଜ୍‌ ଗୁଡ଼ିକ ମଧ୍ୟରେ ବିଭିନ୍ନ ପ୍ରକାରର କ୍ୟାନ୍‌ସର ଚିକିତ୍ସା ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ସେ କହିଛନ୍ତି, କ୍ୟାନ୍‌ସର ଚିକିତ୍ସା ପାଇଁ ଯେଉଁ ଅତିରିକ୍ତ ଖର୍ଚ୍ଚ ହେବ, ତାହା ରାଜ୍ୟ ସରକାରଙ୍କ ପାଣ୍ଠିରୁ ବହନ କରାଯିବ। ଫଳରେ ରୋଗୀ ଓ ସେମାନଙ୍କ ପରିବାର ଉପରେ ଚିକିତ୍ସା ଖର୍ଚ୍ଚର ଆର୍ଥିକ ବୋଝ ଯଥେଷ୍ଟ କମିବ।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଗରିବ ପରିବାରର କ୍ୟାନ୍‌ସର ରୋଗୀମାନେ ଉପକୃତ ହେବେ। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ସମନ୍ୱୟ ମାଧ୍ୟମରେ ଅଧିକ ସଂଖ୍ୟକ ରୋଗୀଙ୍କୁ ଉନ୍ନତ ଓ ସୁଲଭ ଚିକିତ୍ସା ସେବା ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସରକାରଙ୍କ ଏହି ଘୋଷଣା ପରେ ରାଜ୍ୟର କ୍ୟାନ୍‌ସର ରୋଗୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।