ବଦଳି ଆଦେଶ ନ ମାନିଲେ ବନ୍ଦ ହେବ ଦରମା !

ବଦଳି ଆଦେଶ ପାଳନ କରୁନଥିବା ଓଡ଼ିଶା ଫାଇନାନ୍ସ ସର୍ଭିସ୍-୧ (ଜୁନିୟର ବ୍ରାଞ୍ଚ) ଅଧିକାରୀଙ୍କ ବିରୋଧରେ ଅର୍ଥ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆଜି (୨୦ ଜୁଲାଇ) ସୁଦ୍ଧା ନୂଆ କର୍ମସ୍ଥଳରେ ଯୋଗ ନଦେଲେ ୨୧ ଜୁଲାଇ ଠାରୁ ସମ୍ପୃକ୍ତ ଅଧିକାରୀଙ୍କ ଦରମା ବନ୍ଦ କରାଯିବ।

ଅର୍ଥ ବିଭାଗ ସୂଚନା ଦେଇଛି ଯେ, ଗତ ୧୬ ଏପ୍ରିଲ ୨୦୨୬ରେ ପ୍ରଥମେ ବଦଳି ଆଦେଶ ଜାରି କରାଯାଇଥିଲା। ପରେ ୧୯ ମେ ଓ ୧୮ ଜୁନରେ ପୁନର୍ବାର ରିମାଇଣ୍ଡର ଓ ଚେତାବନୀ ଜାରି କରାଯାଇଥିଲା। ଏପରିକି ତୁରନ୍ତ ପୁରୁଣା କର୍ମସ୍ଥଳରୁ ରିଲିଭ୍ ହୋଇ ନୂଆ ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି କେତେକ ଅଧିକାରୀ ଏହି ଆଦେଶକୁ ଅବହେଳା କରି ନୂଆ କର୍ମସ୍ଥଳରେ ଯୋଗ ଦେଇନାହାନ୍ତି।

ବିଭାଗ ଏହାକୁ ସରକାରୀ ଆଦେଶର ଖୋଲାଖୋଲି ଅବମାନନା ବୋଲି ଦର୍ଶାଇଛି। ବଦଳି ପ୍ରକ୍ରିୟାକୁ ବାଧା ଦେବା ସହ ପ୍ରଶାସନିକ କାର୍ଯ୍ୟକଳାପ ଉପରେ ଏହାର ପ୍ରଭାବ ପଡ଼ୁଥିବାରୁ ଏବେ କଡ଼ା ପଦକ୍ଷେପ ନିଆଯାଇଛି।

ଅର୍ଥ ବିଭାଗର ସଦ୍ୟତମ ଆଦେଶ ଅନୁଯାୟୀ, ଯେଉଁ ଅଧିକାରୀମାନେ ଏପର୍ଯ୍ୟନ୍ତ ପୁରୁଣା କର୍ମସ୍ଥଳରୁ ରିଲିଭ୍ ହୋଇନାହାନ୍ତି କିମ୍ବା ରିଲିଭ୍ ହୋଇ ମଧ୍ୟ ନୂଆ କର୍ମସ୍ଥଳରେ ଯୋଗ ଦେଇନାହାନ୍ତି, ସେମାନଙ୍କୁ ୨୦ ଜୁଲାଇ ସୁଦ୍ଧା ନିଶ୍ଚିତ ଭାବେ ଯୋଗଦେବାକୁ କୁହାଯାଇଛି।

ଏହି ସମୟସୀମା ମଧ୍ୟରେ ଯୋଗ ନଦେଲେ କେବଳ ଦରମା ବନ୍ଦ ହେବ ନୁହେଁ, ସରକାରୀ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ଅର୍ଥ ବିଭାଗ ସତର୍କ କରିଛି।

ସରକାରଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ବଦଳି ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି। ବଦଳି ଆଦେଶକୁ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଆଗାମୀ ଦିନରେ ଆହୁରି କଡ଼ା ପଦକ୍ଷେପ ନିଆଯାଇପାରେ ବୋଲି ପ୍ରଶାସନିକ ମହଳରେ ଆଲୋଚନା ହେଉଛି।