ବିଜେଡିରେ ଜଳୁଛି ବିଦ୍ରୋହର ନିଆଁ ! ସୁଜାତାଙ୍କ ଏଣ୍ଟ୍ରି ନେଇ ଖପ୍ପା ବରିଷ୍ଠ ନେତା !

ଓଡ଼ିଶା ରାଜନୀତିରେ ଆଜି ଏକ ହଇଚଇ କଲା ଭଳି ଘଟଣା ଘଟିଛି । ଗୋଟିଏପଟ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ଅନ୍ୟପଟେ ବିଜେଡିର କିଛି ବରିଷ୍ଠ ନେତା ଏହାକୁ ବିରୋଧ କରୁଥିବା ନଜର ଆସିଛି । ଫଳରେ ବିଜେଡିରେ ବିଦ୍ରୋହର ନିଆଁ ଜଳୁଛି ।

ଶଙ୍ଖ ଭବନରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଦଳରେ ଯୋଗ ଦେଇଥିବା ବେଳେ, ଏହି ମଞ୍ଚରୁ ୨୦୨୯ ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ଘୋଷଣା ରାଜନୈତିକ ମହଳରେ ଚର୍ଚ୍ଚାକୁ ଆହୁରି ଗରମ କରିଛି। ସେପଟେ ସୁଜାତାଙ୍କ ଯୋଗଦାନକୁ ନେଇ ବିଜେପି ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛି।

ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ଶଙ୍ଖ ଭବନରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ସୁଜାତାଙ୍କ ଯୋଗଦାନକୁ ସ୍ୱାଗତ କରି ନବୀନ କହିଛନ୍ତି ଯେ, ସେ କେନ୍ଦ୍ରାପଡ଼ାର ଝିଅ ଏବଂ ତାଙ୍କ ଦଳରେ ଯୋଗଦାନରେ ବିଜେଡି ଖୁସି।

ଏହି ଅବସରରେ ନବୀନ ପଟ୍ଟନାୟକ ୨୦୨୯ ନିର୍ବାଚନକୁ ନେଇ ମଧ୍ୟ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ୨୦୨୯ ବିଧାନସଭା ନିର୍ବାଚନରେ ସେ ନିଜେ ବିଜୁ ଜନତା ଦଳର ନେତୃତ୍ୱ ନେବେ ଏବଂ ତାଙ୍କ ନେତୃତ୍ୱରେ ହିଁ ଦଳ ନିର୍ବାଚନ ଲଢ଼ିବ।

ତେବେ ସୁଜାତାଙ୍କ ଯୋଗଦାନକୁ ନେଇ କେନ୍ଦ୍ରାପଡ଼ାବାସୀଙ୍କ ମଧ୍ୟରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି, ସୁଜାତା କେନ୍ଦ୍ରାପଡ଼ାର ଝିଅ ହୋଇଥିଲେ ମଧ୍ୟ, ତାଙ୍କ ସ୍ୱାମୀ(ଭିକେ ପାଣ୍ଡିଆନ)ଦାୟିତ୍ୱରେ ଥିବା ସମୟରେ ଜିଲ୍ଲା ପାଇଁ ଗୋଟିଏ ମେଡିକାଲ କଲେଜ ମଧ୍ୟ କରିନାହାନ୍ତି । କେବଳ ବିଜୁ ବାବୁ କିମ୍ବା ନବୀନ ବାବୁଙ୍କ ନାଁ ନେଇ ରାଜନୀତି କଲେ ହେବନି ବୋଲି ସେମାନେ କହିଛନ୍ତି।

ସବୁଠାରୁ ବଡ଼ କଥା, ସୁଜାତାଙ୍କ ସାମିଲ ଉତ୍ସବରେ ବିଜେଡିର ଅନେକ ପ୍ରମୁଖ ନେତାଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ବବି ଦାସ, ପ୍ରସନ୍ନ ଆଚାର୍ଯ୍ୟ, ରାଜା ସ୍ୱାଇଁ, ବଦ୍ରି ପାତ୍ର, ଲତିକା ପ୍ରଧାନ, ବିକ୍ରମ ଆରୁଖ ଏବଂ ଭୂପିନ୍ଦର ସିଂଙ୍କ ଭଳି ବରିଷ୍ଠ ନେତାମାନେ କାର୍ଯ୍ୟକ୍ରମରେ ନଜର ଆସିନଥିଲେ। ଏହାକୁ ନେଇ ରାଜନୀତିରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ, ଏମାନେ କୁଆଡେ ସୁଜାତାଙ୍କ ବିଜେଡିରେ ସାମିଲକୁ ବିରୋଧ କରୁଛନ୍ତି ।

ଏପଟେ ସୁଜାତା କାର୍ତ୍ତିକେୟନଙ୍କ ବିଜେଡିରେ ଯୋଗଦାନକୁ ନେଇ ବିଜେପିରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି। ସେ କହିଛନ୍ତି, ଯେଉଁ ମହିଳା ଭୋଟ୍ ବ୍ୟାଙ୍କର କଥା କୁହାଯାଉଛି, ତାହା ବିଜେଡି ସହ ନାହିଁ। ମହିଳାଙ୍କ ସମର୍ଥନ ନ ଥିବାରୁ ବିଜେଡି ୨୦୨୪ ନିର୍ବାଚନରେ ପରାଜିତ ହୋଇଥିଲା। ସେହିପରି ନବୀନ ପଟ୍ଟନାୟକଙ୍କ ୨୦୨୯ ନେତୃତ୍ୱ ବୟାନକୁ ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ସୁଜାତା କାର୍ତ୍ତିକେୟନଙ୍କ ବିଜେଡିରେ ଯୋଗଦାନ ପରେ ଏକପଟେ ନବୀନ ପଟ୍ଟନାୟକ ୨୦୨୯ ପାଇଁ ନିଜ ନେତୃତ୍ୱର ଦାବି ସ୍ପଷ୍ଟ କରିଥିବା ବେଳେ, ଅନ୍ୟପଟେ ବିରୋଧୀଙ୍କ ସମାଲୋଚନା ଏବଂ ବିଜେଡିର କିଛି ପ୍ରମୁଖ ନେତାଙ୍କ ଅନୁପସ୍ଥିତି ଏହି ଯୋଗଦାନକୁ ନେଇ ରାଜନୈତିକ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି। ଏବେ ଏହାର ରାଜନୈତିକ ପ୍ରଭାବ ଆଗାମୀ ଦିନରେ କେଉଁ ଦିଗକୁ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।