Blog
ନିଶା ବିରୋଧରେ ସରକାରଙ୍କ କଡ଼ା ପଦକ୍ଷେପ ! ସ୍କୁଲରୁ ପଞ୍ଚାୟତ ପର୍ଯ୍ୟନ୍ତ ଚାଲିବ ଅଭିଯାନ
ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପଠାଇଛି। ନିଶା ସେବନକୁ ରୋକିବା, ଯୁବପିଢ଼ିଙ୍କୁ ସଚେତନ କରିବା ଏବଂ ସମାଜରେ ନିଶା ବିରୋଧୀ ବାର୍ତ୍ତା ପହଞ୍ଚାଇବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ।
ରାଜ୍ୟ ସରକାର ପକ୍ଷରୁ ମୋଟ ୪ କୋଟି ୬୨ ଲକ୍ଷ ଟଙ୍କାର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ସ୍କୁଲ, କଲେଜ, ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି।
ଯୋଜନା ଅନୁଯାୟୀ, ରାଜ୍ୟର ୧୫୦ଟି ସ୍କୁଲ ଓ କଲେଜରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ କର୍ମଶାଳା, ଆଲୋଚନାଚକ୍ର ଓ ପ୍ରଚାର ଅଭିଯାନ ହେବ।
ସେହିପରି ଜନସଚେତନତା ବଢ଼ାଇବା ପାଇଁ ମାରାଥନ, ୱାକାଥନ, ସାଇକେଲ ରାଲି ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ରହିଛି।
ଯୋଜନାରେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଆୟୋଜନ ସହ ସମସ୍ତ ବ୍ଲକରେ ଆଣ୍ଟି-ଡ୍ରଗ୍ କମିଟି ବୈଠକ କରିବାକୁ ବ୍ୟବସ୍ଥା ରହିଛି। ସ୍ଥାନୀୟ ସ୍ତରରେ ନିଶା ବିରୋଧୀ ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ୩୦୦ଟି ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେବ।
ଏଥିସହ ପ୍ରତ୍ୟେକ ଜିଲ୍ଲାରେ ୫୦ ଜଣ ‘ନଶା ମୁକ୍ତ ମିତ୍ର’ଙ୍କୁ ସାମିଲ କରାଯିବ। ସେମାନେ ସ୍ଥାନୀୟ ସ୍ତରରେ ଲୋକଙ୍କୁ ନିଶାର କ୍ଷତିକାରକ ପ୍ରଭାବ ସମ୍ପର୍କରେ ସଚେତନ କରିବେ ଏବଂ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବେ।
ଏହାଛଡ଼ା ୭୬.୪୦ ଲକ୍ଷ ଟଙ୍କା ବ୍ୟୟରେ ୧,୫୦୦ ଜଣ ସ୍ୱେଚ୍ଛାସେବୀଙ୍କୁ ମୋବିଲାଇଜ୍ କରାଯିବ। ଏହି ସ୍ୱେଚ୍ଛାସେବୀମାନେ ଗାଁରୁ ସହର ପର୍ଯ୍ୟନ୍ତ ନିଶା ବିରୋଧୀ ବାର୍ତ୍ତା ପହଞ୍ଚାଇବା ସହ ସମାଜରେ ସଚେତନତା ବୃଦ୍ଧି କରିବେ।
ରାଜ୍ୟ ସରକାରଙ୍କ ଏହି ମାଷ୍ଟର ପ୍ଲାନ୍ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇବା ପରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ। ଏହା ମାଧ୍ୟମରେ ନିଶା ସେବନ ହ୍ରାସ, ଯୁବପିଢ଼ିଙ୍କ ସୁରକ୍ଷା ଏବଂ ଏକ ସୁସ୍ଥ, ସଚେତନ ଓ ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି।
- Trending




