‘ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନଜନକ ଟିପ୍ପଣୀକୁ ସହିବେ ନାହିଁ ଓଡ଼ିଶାବାସୀ’

ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟକୁ ଓଡ଼ିଶାବାସୀ କଦାପି ସହ୍ୟ କରିପାରିବେ ନାହିଁ । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଥିବା ସୁନୀଲ ଜେନା ନାମକ ବ୍ୟକ୍ତି ଜଣକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବଦ୍‌ନାମ କରିବା ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମରେ ଅନେକ ଅପଶବ୍ଦ ବ୍ୟବହାର କରି ଗାଳିଗୁୁଲଜ କରୁଛନ୍ତି ।

ସୁନୀଲ, ଅସାମ୍ବିଧାନିକ ଶବ୍ଦ ସହ ଅପମାନଜନକ ଓ ଅଶ୍ଲୀଳ ମନ୍ତବ୍ୟ ଦେଇ ମିଥ୍ୟା ଓ ବିଭ୍ରାନ୍ତୀକର ତଥ୍ୟ ସବୁ ପୋଷ୍ଟ କରୁଛନ୍ତି, ଯାହା ଏକ ଦଣ୍ଡନୀୟ ଅପରାଧ । ସାମ୍ବାଦିକତାର ମୂଲ୍ୟବୋଧ ଜାଣି ନଥିବା ଏଭଳି ବ୍ୟକ୍ତି ଜଣକ ସାମାଜିକ ଗଣମାଧ୍ୟମରେ ଅସାମ୍ବିଧାନିକ, ଅପମାନଜନକ, ଅଶ୍ଲୀଳ ଏବଂ ମିଥ୍ୟା ଓ ବିଭ୍ରାନ୍ତୀକର ତଥ୍ୟ ପୋଷ୍ଟ କରି ସମାଜରେ ଅପ୍ରୀତିକର ବାତାବରଣ ସୃଷ୍ଟି କରୁଛନ୍ତି ।

ଆଜିର ଡିଜିଟାଲ ଯୁଗରେ ଏଭଳି କାର୍ଯ୍ୟ ଆଦୈା ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି । ଗଣମାଧ୍ୟମକୁ ସୁଚନା ଦେଇ ଡ. ମହାନ୍ତି କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଅପଚେଷ୍ଠା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସାଇବର ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ସାମ୍ବାଦିକ ବୋଲି ନିଜକୁ ପରିଚୟ ଦେଇ ସାମ୍ବାଦିକତା ପେଶାକୁ ବଦ୍‌ନାମ କରୁଥିବା ଏଭଳି ବ୍ୟକ୍ତିଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ନିହାତି ଆବଶ୍ୟକ । ଏ ସଂପର୍କରେ ଆଜି ଭୁବନେଶ୍ୱର ସାଇବର ଥାନାରେ ସୁନୀଲ ଜେନାଙ୍କ ବିରୋଧରେ ବିଜେପି ତରଫରୁ ଏତଲା ଦିଆଯାଇଛି ଏବଂ ଏତଲା ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିନିଧିଦଳକୁ ଥାନାଧିକାରୀ ପ୍ରତିଶ୍ରୁତି ଦେଇଥିବାର ଡ.ମହାନ୍ତି ସୂଚନା ଦେଇଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତିଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଶ୍ରୀ ଜୟନ୍ତ ଜେନା ଓ ଭୁବନେଶ୍ୱର ଜିଲ୍ଲା ଉପସଭାପତି ଶ୍ରୀ ସୁଶାନ୍ତ ଜେନାଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।