CMOରୁ ଫାଇଲ ଚୋରି ! ଦୋଷୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଡବଲ ଇଞ୍ଜିନ ସରକାରରେ କୌଣସି ଦୋଷୀଙ୍କୁ କ୍ଷମା କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ଚୋରି ଘଟଣାକୁ ସରକାର ଗୁରୁତ୍ୱର ସହ ନେଇଥିବା ସୂଚନା ମିଳିଛି। ଏହି ଘଟଣାର ତଦନ୍ତକୁ ଆହୁରି ଜୋରଦାର କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

ସରକାରୀ ସୂତ୍ର ଅନୁଯାୟୀ, CMOରୁ ଦୁଇଟି ଜରୁରୀ ଫାଇଲ ନିଖୋଜ ଘଟଣାରେ ପୋଲିସକୁ ସମସ୍ତ ଦିଗରୁ ତଦନ୍ତ କରିବାକୁ କୁହାଯାଇଛି। ଫାଇଲ ଚୋରି ପଛରେ କିଏ ରହିଛି, କିପରି ଏହା ଘଟିଲା ଏବଂ ଏଥିରେ କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି।

ତଦନ୍ତରେ ଯେଉଁମାନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବ, ସେମାନଙ୍କ ବିରୋଧରେ କଡ଼ା ପୋଲିସ କାର୍ଯ୍ୟାନୁଷ୍ଠାନ ହେବ। ପ୍ରୟୋଜନ ପଡ଼ିଲେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ଏବଂ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ।

ସରକାର ସ୍ପଷ୍ଟ କରିଛନ୍ତି ଯେ, ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସରକାରୀ ଦଲିଲ କିମ୍ବା ଗୋପନୀୟ ଫାଇଲ ସହ ଛେଡ଼ଛାଡ଼ କିମ୍ବା ଚୋରି ଭଳି ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଦୋଷୀ ଯେତେ ପ୍ରଭାବଶାଳୀ ହୋଇଥାନ୍ତୁ ନା କାହିଁକି, ତାଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନିଆଯିବ।