Blog
ଆସିଲା ବନ୍ୟା ସହାୟତା ! ୨୨ ଜିଲ୍ଲାକୁ ୧୧୦ କୋଟି ଟଙ୍କା ଦେଲେ ରାଜ୍ୟ ସରକାର
ରାଜ୍ୟରେ ସମ୍ପ୍ରତି ହୋଇଥିବା ଭୟାବହ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଆଶ୍ୱସ୍ତ କରିବା ପାଇଁ ରାଜ୍ୟ ସରକାର ୨୨ଟି ଜିଲ୍ଲା ପାଇଁ ମୋଟ ୧୧୦ କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରିଛନ୍ତି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି। କ୍ଷୟକ୍ଷତିର ଆକଳନ ଆଧାରରେ ସହାୟତା ରାଶି ସିଧାସଳଖ DBT (Direct Benefit Transfer) ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
ଏଥର ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା। ସେଥିପାଇଁ ଏହି ତିନି ଜିଲ୍ଲାକୁ ସର୍ବାଧିକ ସହାୟତା ରାଶି ମଞ୍ଜୁର କରାଯାଇଛି। ବାଲେଶ୍ୱରକୁ ୨୨.୦୩ କୋଟି ଟଙ୍କା, ଯାଜପୁରକୁ ୨୦.୨୦ କୋଟି ଟଙ୍କା ଏବଂ ଭଦ୍ରକକୁ ୨୦.୧୨ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଏହା ବ୍ୟତୀତ ଜଗତସିଂହପୁରକୁ ୮.୧୮ କୋଟି, କେନ୍ଦୁଝରକୁ ୬.୧୧ କୋଟି, ସମ୍ବଲପୁରକୁ ୫.୫୬ କୋଟି, କେନ୍ଦ୍ରାପଡ଼ାକୁ ୫.୦୪ କୋଟି, ମୟୂରଭଞ୍ଜକୁ ୫.୦୨ କୋଟି, ସୁବର୍ଣ୍ଣପୁରକୁ ୨.୩୧ କୋଟି, ଖୋର୍ଦ୍ଧାକୁ ୨.୦୬ କୋଟି ଏବଂ ବୌଦ୍ଧକୁ ୧.୨୯ କୋଟି ଟଙ୍କା ବନ୍ୟା ସହାୟତା ମଞ୍ଜୁର କରାଯାଇଛି। ଅନ୍ୟାନ୍ୟ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକୁ ମଧ୍ୟ କ୍ଷୟକ୍ଷତିର ପରିମାଣ ଅନୁଯାୟୀ ସହାୟତା ବଣ୍ଟନ କରାଯିବ।
ରାଜସ୍ୱ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ଅନେକ ଅଞ୍ଚଳରେ ଏବେ ମଧ୍ୟ ବନ୍ୟାଜଳ ସମ୍ପୂର୍ଣ୍ଣ ନିଷ୍କାସନ ହୋଇନାହିଁ। ବିଭିନ୍ନ ନଦୀରେ ଜଳସ୍ତର ଏବେ ବି ସ୍ୱାଭାବିକ ସ୍ଥିତିକୁ ଫେରିନଥିବାରୁ ପ୍ରଶାସନ ପରିସ୍ଥିତି ଉପରେ ଲଗାତାର ନଜର ରଖିଛି। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ ୬୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବାରୁ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇଥିଲା।
ଏପରିସ୍ଥିତିରେ କ୍ଷୟକ୍ଷତିର ସଠିକ୍ ଆକଳନ କରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ବିଭାଗର କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଡକାଯାଇଛି।
ଜିଲ୍ଲା ପ୍ରଶାସନକୁ ବିସ୍ତୃତ ରିପୋର୍ଟ ପଠାଇବାକୁ କୁହାଯାଇଛି। ବିଶେଷକରି କେଉଁ ସ୍ଥାନରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଥିଲା, କେଉଁଠି ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଛି ଏବଂ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ କେଉଁ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମାଧ୍ୟମରେ ବନ୍ୟା ପ୍ରଭାବିତ ପରିବାରମାନେ ଶୀଘ୍ର ଆର୍ଥିକ ସହାୟତା ପାଇବେ ଏବଂ ପୁନର୍ବାସ ସହିତ ସାଧାରଣ ଜୀବନକୁ ଫେରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
- Trending




