ପ୍ରଥମ ଶ୍ରେଣୀ ବହିରେ ତ୍ରୁଟି ନାହିଁ ! ଅପପ୍ରଚାର ଉପରେ ବଡ଼ ବୟାନ ଦେଲେ ମନ୍ତ୍ରୀ

ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ହୋଇଥିବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ରହିଥିବା ବୋଲି ଯେଉଁ ପ୍ରଚାର ହେଉଛି, ତାହା ସଠିକ୍ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପାଠ୍ୟପୁସ୍ତକ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ, ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ଯେପରି ତ୍ରୁଟି ହୋଇଛି ବୋଲି କୁହାଯାଉଛି, ସେପରି କୌଣସି ଭୁଲ୍ ହୋଇନାହିଁ। କିଛି ପ୍ରସଙ୍ଗକୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୋଇଥିବାରୁ ଅନାବଶ୍ୟକ ବିବାଦ ଦେଖାଦେଇଛି।

ସେ କହିଛନ୍ତି ଯେ, ପିଲାମାନଙ୍କ ପାଠପଢ଼ାରେ କୌଣସି ପ୍ରକାର ଅସୁବିଧା ନ ହେବା ପାଇଁ ସରକାର ସଚେତନ ଅଛନ୍ତି। ଯେଉଁଠି ଆବଶ୍ୟକ, ସେଠାରେ ସଂଶୋଧିତ ଓ ସଠିକ୍ ପାଠ୍ୟପୁସ୍ତକ ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି। ଶିକ୍ଷାର ଗୁଣାତ୍ମକ ମାନ ରକ୍ଷା କରିବା ସରକାରଙ୍କ ପ୍ରାଥମିକତା ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟପଟେ, ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ସାମିଲ ହୋଇଥିବା ‘ନିମ୍ବୁଡ଼ା ନିମ୍ବୁଡ଼ା’ ଗୀତକୁ ନେଇ ହେଉଥିବା ବିବାଦ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ସ୍ପଷ୍ଟ ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ଜାତୀୟ ଶିକ୍ଷାନୀତି (NEP) ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଦେଶର ବିଭିନ୍ନ ରାଜ୍ୟର ଭାଷା, ସଂସ୍କୃତି ଓ ସଙ୍ଗୀତ ସହ ପରିଚିତ କରାଇବା ପାଇଁ ଅନ୍ୟ ରାଜ୍ୟର ଗୀତକୁ ମଧ୍ୟ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇପାରେ। ଏହା ଶିକ୍ଷାନୀତିର ଏକ ଅଂଶ ହୋଇଥିବା ସତ୍ତ୍ୱେ ଏହାକୁ ଭୁଲ ଭାବରେ ଉପସ୍ଥାପନ କରାଯାଉଛି ବୋଲି ସେ କହିଛନ୍ତି।

ଗଣମାଧ୍ୟମର କିଛି ରିପୋର୍ଟ ଏବଂ ସୋସିଆଲ ମିଡିଆରେ ହେଉଥିବା ପ୍ରଚାରକୁ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ସମ୍ପୂର୍ଣ୍ଣ ତଥ୍ୟ ଅନୁଧ୍ୟାନ ନ କରି ଅପପ୍ରଚାର କରାଯାଉଛି। ଏଭଳି ଭୁଲ ପ୍ରଚାର ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅନାବଶ୍ୟକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ବିତରଣ ପ୍ରକ୍ରିୟାକୁ ନେଇ ସମସ୍ତ ପ୍ରସଙ୍ଗର ସମୀକ୍ଷା କରାଯାଉଛି ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।