କେନ୍ଦୁଝରରେ ପୋଲିସ-ଅପରାଧୀ ଗୁଳିବିନିମୟ: ଚମ୍ପୁଆ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରା ଆହତ ।

୩୦ରୁ ଊର୍ଦ୍ଧ୍ୱ ଚୋରି ମାମଲାରେ ଜଡ଼ିତ ଥିଲା ଝାଡ଼ଖଣ୍ଡର କୁଖ୍ୟାତ ଲୁଟେରା ମହମ୍ମଦ ନାଫିସ।ଖସିଯିବାକୁ ଉଦ୍ୟମ କରି ପୋଲିସ ଉପରକୁ ଚଳାଇଥିଲା ୨ ରାଉଣ୍ଡ ଗୁଳି; ପାଲଟା ଜବାବରେ ନାଫିସର ଡାହାଣ ଆଣ୍ଠୁରେ ବାଜିଲା ପୋଲିସର ଗୁଳି। ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲରୁ ଏକ ଦେଶୀ ନିର୍ମିତ ବନ୍ଧୁକ ଜବତ; ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର।

ରାଜ୍ୟରେ ଆତଙ୍କ ଖେଳାଉଥିବା ବାହାର ରାଜ୍ୟର ଅପରାଧୀଙ୍କ ଉପରେ ଏବେ କଡ଼ା ନଜର ରଖିଛି ପୋଲିସ। ସୋମବାର ସକାଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟରେ ଏକ ବଡ଼ ଏନକାଉଣ୍ଟର ଦେଖିବାକୁ ମିଳିଛି। ୩୦ରୁ ଅଧିକ ଚୋରି ମାମଲାରେ ଜଡ଼ିତ ଥିବା ଝାଡ଼ଖଣ୍ଡର କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସକୁ ଚମ୍ପୁଆ ପୋଲିସ ଏନକାଉଣ୍ଟର କରିଛି। ଗୁଳିବିନିମୟରେ ନାଫିସର ଡାହାଣ ଆଣ୍ଠୁରେ ଗୁଳି ବାଜିଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛ।

ସୂଚନା ଅନୁଯାୟୀ, କେନ୍ଦୁଝର ଏବଂ ମୟୂରଭଞ୍ଜ ଅଞ୍ଚଳରେ ଲଗାତାର ଚୋରି କରୁଥିବା ନାଫିସକୁ ପୋଲିସ ପୂର୍ବରୁ ଗିରଫ କରିଥିଲା। ବିଭିନ୍ନ ସ୍ଥାନରୁ ଚୋରି କରିବା ପରେ ସେ ଚୋରି ସାମଗ୍ରୀକୁ ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲରେ ଲୁଚାଇ ରଖୁଥିଲା। ଏହି ଚୋରି ସାମଗ୍ରୀକୁ ଜବତ କରିବା ପାଇଁ ଆଜି (ସୋମବାର) ସକାଳ ପ୍ରାୟ ୫ଟା ସମୟରେ ପୋଲିସ ଟିମ୍ ନାଫିସକୁ ନେଇ ପତଳା ଜଙ୍ଗଲକୁ ଯାଇଥିଲା।

ତେବେ ଜଙ୍ଗଲ ଭିତରେ ନାଫିସ ପୂର୍ବରୁ ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକକୁ ହଠାତ୍ ବାହାର କରି ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ଏବଂ ସେଠାରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଓ ନିଜର ଆତ୍ମରକ୍ଷା ପାଇଁ ପୋଲିସ ବାଧ୍ୟ ହୋଇ ପାଲଟା ଗୁଳି ଚଳାଇଥିଲା। ଏହି ଏନକାଉଣ୍ଟରରେ ଅଭିଯୁକ୍ତର ଡାହାଣ ଆଣ୍ଠୁରେ ଗୁଳି ବାଜିଥିଲା।

ଗୁଳି ବାଜିବା ପରେ ଆହତ ନାଫିସକୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ପୋଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି।

ଏହି ଘଟଣାକୁ ନେଇ ଚମ୍ପୁଆ ଥାନାରେ ଏକ ନୂଆ ମାମଲା ରୁଜୁ କରାଯାଇଛି। ପୋଲିସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ:କେସ ନମ୍ବର 257/2026 ବି.ଏନ. ଏସ ଧାରା 109(1)/296 ଏବଂ 25/27 ଅସ୍ତ୍ରଶସ୍ତ୍ର ଆଇନ (Arms Act) କେସ ରୁଜୁ ହୋଇଛି।

ଅନ୍ୟପଟେ, ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଚେର କେତେ ଦୂର ଲମ୍ବିଛି, ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ଅଭିଯୁକ୍ତର ଅନ୍ୟ ସହଯୋଗୀ ଏବଂ ତାର ସମ୍ପୂର୍ଣ୍ଣ ଅପରାଧିକ ନେଟୱାର୍କକୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।