୨ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ସରକାରଙ୍କ ବଡ଼ ଭେଟି: ଭୁବନେଶ୍ୱରକୁ ମିଳିଲା ବିକାଶର ନୂଆ ଉପହାର

ଭୁବନେଶ୍ୱର,୧୩/୬/୨୦୨୬: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜଧାନୀ ଭୁବନେଶ୍ୱରକୁ ମିଳିଛି ଅନେକ ବିକାଶମୂଳକ ଉପହାର। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭ ହୋଇଛି।

ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକ୍ସ ଛକରୁ ଏକାମ୍ରକାନନ ପର୍ଯ୍ୟନ୍ତ ୬ ଲେନ ବିଶିଷ୍ଟ ନୂତନ ରାସ୍ତାର ଶୁଭ ଉଦଘାଟନ କରାଯାଇଛି। ଏହି ରାସ୍ତା ରାଜଧାନୀର ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଗମ କରିବାରେ ସହାୟକ ହେବ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନଆଶ୍ରୟ ଭବନର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ ସାଧାରଣ ଲୋକଙ୍କ ପାଇଁ ଉତ୍ତମ ସୁବିଧା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଏହାଛଡ଼ା କଳିଙ୍ଗ ଷ୍ଟାଡିୟମରୁ ରଘୁନାଥପୁର ବ୍ରିଜ ପର୍ଯ୍ୟନ୍ତ ୮ ଲେନ ବିଶିଷ୍ଟ ରାସ୍ତା ଓ ସଂଲଗ୍ନ ଫ୍ଲାଏଓଭର ନିର୍ମାଣ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି ପ୍ରକଳ୍ପ ସହରର ଟ୍ରାଫିକ୍ ସମସ୍ୟା ହ୍ରାସ କରିବା ସହ ଯାତାୟାତକୁ ଅଧିକ ଦ୍ରୁତ ଓ ସୁରକ୍ଷିତ କରିବ।

ଅନ୍ୟପକ୍ଷରେ, ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ସାଧାରଣ ଓ ଅସହାୟ ଲୋକଙ୍କୁ ସୁଲଭ ମୂଲ୍ୟରେ ପୌଷ୍ଟିକ ଖାଦ୍ୟ ଯୋଗାଇବାକୁ ଲୋକଙ୍କ ସରକାର ଲକ୍ଷ୍ୟ ରଖିଛନ୍ତି ।

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଘୋଷଣା ହୋଇଥିବା ଏହି ସମସ୍ତ ପ୍ରକଳ୍ପ ଓ ଯୋଜନା ରାଜଧାନୀ ଭୁବନେଶ୍ୱରର ଭିତ୍ତିଭୂମି ବିକାଶ ଏବଂ ଜନସାଧାରଣଙ୍କ ଜୀବନମାନ ଉନ୍ନତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।