ସ୍କୁଲ ବହି ତ୍ରୁଟି ଘଟଣାରେ ଲୋକଙ୍କ ସରକାରଙ୍କ ବଡ଼ ଆକ୍ସନ: ୪ ଜଣ ନିଲମ୍ବିତ, ୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ଗୁରୁତ୍ୱର ଭାବେ ନେଇ ଲୋକଙ୍କ ସରକାର ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାରେ ୪ ଜଣ ଅଧିକାରୀଙ୍କୁ ତତ୍କାଳ ନିଲମ୍ବନ କରାଯାଇଥିବା ବେଳେ ଆଉ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀ, ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲ୍ଲୀପ ସାହୁ ଏବଂ ଭାରତୀ ଟୁଡୁ ରହିଛନ୍ତି।

ଏଥିସହ ସହକାରୀ ନିର୍ଦ୍ଦେଶକ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ସୁଦର୍ଶନ ସନ୍ତରାଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ ପଦକ୍ଷେପ ନିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସ୍କୁଲ ବହିରେ ହୋଇଥିବା ତ୍ରୁଟିର କାରଣ ଅନୁସନ୍ଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ତାହାର ତଦନ୍ତ ରିପୋର୍ଟରେ ୧୪ଟି ସୁପାରିସ କରିଥିଲା। ରାଜ୍ୟ ସରକାର ସେହି ସମସ୍ତ ସୁପାରିସକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାଠ୍ୟବହି ପ୍ରସ୍ତୁତି, ସମ୍ପାଦନା, ପ୍ରୁଫ୍ ଯାଞ୍ଚ, ଗୁଣବତ୍ତା ନିୟନ୍ତ୍ରଣ ଏବଂ ପ୍ରକାଶନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଦାୟିତ୍ୱବାନ କରିବା ପାଇଁ ଏହି ସୁପାରିସ ଗୁଡ଼ିକ ଲାଗୁ କରାଯିବ।

ସରକାରଙ୍କ ଏହି କଠୋର ପଦକ୍ଷେପକୁ ଶିକ୍ଷା ବ୍ୟବସ୍ଥାରେ ଦାୟିତ୍ୱବୋଧ ବୃଦ୍ଧି କରିବା ସହ ଭବିଷ୍ୟତରେ ପାଠ୍ୟବହି ପ୍ରକାଶନରେ ତ୍ରୁଟି ରୋକିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଏଥିସହ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ପାଠ୍ୟବହିର ଗୁଣବତ୍ତା ଓ ସଠିକତା ସୁନିଶ୍ଚିତ କରିବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେବେ ବୋଲି ମଧ୍ୟ ସୂଚନା ମିଳିଛି।