୨ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଲୋକଙ୍କ ସରକାରଙ୍କ ବଡ଼ ଉପହାର

ଭୁବନେଶ୍ୱର, ୩ ଜୁନ୍ ୨୦୨୬: ୨ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଲୋକଙ୍କ ସରକାର ଏକ ବଡ଼ ଉପହାର। କ୍ଷମତାକୁ ଆସିବାର ୨ ବର୍ଷ ନପୂରୁଣୁ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ଗ୍ରହଣ ସ୍ୱରୂପ ବୈଷୟିକ ଶିକ୍ଷାରେ ସିଟ୍ ସଂରକ୍ଷଣ ବୃଦ୍ଧି କରିଛନ୍ତି । ସୂଚନାମୁତାବକ, ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଏନେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ବର୍ତ୍ତମାନ ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ହାର ୧୨ % ରୁ ବୃଦ୍ଧି ପାଇ ୨୨.୫% ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ୮ % ରୁ ବୃଦ୍ଧି ପାଇ ୧୬.୨୫ % ରେ ପହଞ୍ଚିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ ପୂର୍ବରୁ କୌଣସି ସଂରକ୍ଷଣ ନଥିବା ବେଳେ ବର୍ତ୍ତମାନ ଏହା ୧୧.୨୫ % ହୋଇଛି।

ଏହି ସବୁ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କର ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇ.ଟି.ଆଇ ଏବଂ ପଲିଟେକ୍ନିକ୍ ଗୁଡିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିୟରିଂ, ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ , କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣୀ ଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲ୍ଚର ଆଣ୍ଡ ଆଲାଏଡ୍ ସାଇନ୍ସେସ୍, ଆର୍କିଟେକ୍ଚର୍, ପ୍ଲାନିଙ୍ଗ୍, ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ।

ସୂଚନାଯୋଗ୍ୟ, ନିଯୁକ୍ତି ଏବଂ B.A., B.Com, B.Sc. ଭଳି ସାଧାରଣ ଉଚ୍ଚଶିକ୍ଷାରେ ଏହି ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସମାନୁପାତିକ ସଂରକ୍ଷଣ ରହିଛି। ତେବେ, ଇଞ୍ଜିନିୟରିଂ ଓ ମେଡିକାଲ ପରି ବୈଷୟିକ ଶିକ୍ଷାରେ ଅନୁସୂଚିତ ଜନଜାତିଙ୍କ ପାଇଁ ମାତ୍ର ୧୨% ସଂରକ୍ଷଣ ଥିବାବେଳେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୮% ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିଲା। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ, ଏହି ବର୍ଗର ଛାତ୍ରଛାତ୍ରୀଙ୍କଙ୍କୁ ନ୍ୟାୟ ମିଳି ପାରିଛି।

ସୂଚାନଥାଉ କି , ଗତ ଏପ୍ରିଲ ୪ ତାରିଖରେ ରାଜ୍ୟ ସରକାର ଏ ସଂପର୍କିତ ପ୍ରସ୍ତାବରେ ମୋହର ମାରିଥିଲେ । ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।