Blog
ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ୫୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ
ଓଡ଼ିଶା ରାଜନୀତି ପାଇଁ ଏକ ଦୁଃଖଦ ଖବର। ପୂର୍ବତନ ମନ୍ତ୍ରୀ ଥାଏ ଭଟଲିର ତିନି ତିନି ଥର ବିଧାୟକ ହୋଇଥିବା ସୁଶାନ୍ତ ସିଂଙ୍କର ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିବାବେଳେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରିବାର ପକ୍ଷରୁ ଏହି ଦୁଃଖଦ ସୂଚନା ଦିଆଯାଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା।
ସୁଶାନ୍ତ ସିଂ ଦୀର୍ଘ ସମୟ ଧରି ବିରଳ ‘ମୋଟର ନ୍ୟୁରନ ଡିଜିଜ୍ (Motor Neuron Disease)’ ରୋଗରେ ପୀଡ଼ିତ ଥିଲେ। ଏହି ଗୁରୁତର ସ୍ନାୟୁଜନିତ ରୋଗ ପାଇଁ ସେ ନିୟମିତ ଭାବେ ଚିକିତ୍ସା ହେଉଥିଲେ। ଗତ କିଛି ମାସ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ଚିକିତ୍ସକମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
ସୁଶାନ୍ତ ସିଂ ଓଡ଼ିଶା ରାଜନୀତିର ଜଣେ ପରିଚିତ ମୁହଁ ଥିଲେ। ସେ ବରଗଡ଼ ଜିଲ୍ଲାର ଭଟଲି ବିଧାନସଭା ଆସନରୁ କ୍ରମାଗତ ଭାବେ ତିନିଥର ବିଜୟୀ ହୋଇଥିଲେ। ୨୦୦୯, ୨୦୧୪ ଏବଂ ୨୦୧୯ ମସିହାରେ ସେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରରେ ସେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଜନସାଧାରଣଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ଏବଂ ସାଧାରଣ ଜୀବନଶୈଳୀ ପାଇଁ ସେ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିଲେ।
ତାଙ୍କ ପରଲୋକ ଖବର ଜାଣିବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ଦଳର ନେତା, କର୍ମୀ ଏବଂ ତାଙ୍କ ସମର୍ଥକମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗକୁ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ଭୁବନେଶ୍ୱରର ହସ୍ପିଟାଲରୁ ତାଙ୍କ ମରଶରୀରକୁ ପ୍ରଥମେ ଓଡ଼ିଶା ବିଧାନସଭାକୁ ଏବଂ ପରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ଜନପ୍ରତିନିଧି, ରାଜନୈତିକ ନେତୃବୃନ୍ଦ ଓ ସାଧାରଣ ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ତାଙ୍କ ମରଶରୀରକୁ ବରଗଡ଼ ଜିଲ୍ଲାର ଭଟଲି ସ୍ଥିତ ଜନ୍ମମାଟିକୁ ନିଆଯିବ, ଯେଉଁଠାରେ ପରିବାର ଓ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
ସୁଶାନ୍ତ ସିଂଙ୍କ ବିୟୋଗରେ ଭଟଲି ସମେତ ସମଗ୍ର ବରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ରାଜନୈତିକ ଜୀବନ, ଜନସେବା ପ୍ରତି ନିଷ୍ଠା ଏବଂ ଲୋକଙ୍କ ସହ ସମ୍ପର୍କ ତାଙ୍କୁ ସବୁବେଳେ ସ୍ମରଣୀୟ କରି ରଖିବ।
- Trending




